ରାହୁଲ ବୋଷଙ୍କ ଘୋଷଣା: ଶରୀରର ପ୍ରତ୍ୟେକ ଅଙ୍ଗକୁ କରିବେ ଦାନ

ମୁମ୍ବାଇ: ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଏଣୁ ମୃତ୍ୟୁ ପରେ ବି ଅଙ୍ଗଦାନ ଦ୍ୱାରା ଜଣେ ଜୀବିତ ରହିପାରିବ ବୋଲି କୁହାଯାଏ। ପ୍ରଥମେ ଆଖିଦାନ କରି ଅନ୍ୟର ଜୀବନକୁ ଆଲୋକିତ କରିବା ଲାଗି ସଚେତନ କରାଯାଉଥିବା ବେଳେ ଏବେ ଶରୀର ଦାନ କରିବାକୁ ଅନେକେ ଆଗକୁ ଆସୁଛନ୍ତି। ଏହି କ୍ରମରେ ଅଭିନେତା, ନିର୍ଦ୍ଦେଶକ ତଥା ସ୍ପୋର୍ଟ୍‌ସ ପର୍ସନ ରାହୁଲ ବୋଷ ନିଜ ଶରୀରର ପ୍ରତ୍ୟେକଟି ଅଙ୍ଗ ପ୍ରତ୍ୟଙ୍ଗକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୪ ତାରିଖରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସେ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିବେ ବୋଲି ଜଣାପଡ଼ିଛି।

ରାହୁଲଙ୍କୁ ଏବେ ୫୨ ବର୍ଷ। ସେ ଏପରି କାର୍ଯ୍ୟ କରି ବେଶ୍‌ ଖୁସି ହେବେ ବୋଲି ପ୍ରକାଶ କରିଛନ୍ତି। ଅନ୍ୟର ଜୀବନକୁ ଆଲୋକିତ କରିବା ଲାଗି ଯଦି କିଛି ସହଯୋଗ କରିପାରିବି, ନିଜକୁ ଧନ୍ୟ ମନେକରିବି। ଗତ ୧୪ବର୍ଷ ଧରି ଏଭଳି ବିଭିନ୍ନ ଅଭିଯାନରେ ନିଜକୁ ସାମିଲ କରିଛି। ଯଦି ମୃତ୍ୟୁ ପରେ ମୋ ଶରୀର ୮ରୁ ୯ଜଣ ଲୋକଙ୍କ ସ୍ବାର୍ଥରେ ଆସିବ, ତେବେ ବହୁତ ଖୁସି ହେବି। ଲୋକମାନେ ଏହି ପ୍ରୟାସରୁ କିଛି ଶିଖି ଅଙ୍ଗଦାନ ଲାଗି ଆଗେଇ ଆସିବେ ବୋଲି କହିଛନ୍ତି ରାହୁଲ।

ତେବେ ଅଙ୍ଗଦାନ ସମ୍ପର୍କିତ ଗଣନାକୁ ଯଦି ଦେଖାଯାଏ, ତେବେ ଭାରତରେ ୧୦ ଲକ୍ଷ ଲୋକରେ ଜଣେମାତ୍ର ଅଙ୍ଗଦାନ କରିବାକୁ ଇଚ୍ଛୁକ ଥିବା ବେଳେ ସ୍ପେନ୍‌ରେ ଏହା ୪୯ ରହିଛି।

Share