‘ରାହୁଲ, ମୁଁ ବୁଝାମଣାର ଚ୍ୟାଲେଞ୍ଜ ବାଧା ଅତିକ୍ରମ କରିବାକୁ ପ୍ରସ୍ତୁତ’

ସାଉଥାମ୍ପଟନ,୧୮।୬(ପିଟି)- ରୋହିତ ଶର୍ମା ଓ ଶିଖର ଧାଓ୍ବନ ବର୍ତ୍ତମାନ ଦିନିକିଆ କ୍ରିକେଟର ସଫଳତମ ଓପନିଂ ଯୋଡ଼ି। ଉଭୟଙ୍କ ମଧ୍ୟରେ ଥିବା ଭଲ ବୁଝାମଣା ଏହାର କାରଣ। ଭାରତୀୟ ଦଳର ଉପଅଧିନାୟକ ରୋହିତ ସମାନ ସ୍ତରର ବୁଝାମଣା ଲୋକେଶ ରାହୁଲଙ୍କ ସହ ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଧାଓ୍ବନଙ୍କ ବାମ ବୃଢ଼ା ଆଙ୍ଗୁଠି ଫ୍ରାକଚର ହୋଇଛି। ଏଣୁ ତାଙ୍କ ବଦଳରେ ରାହୁଲଙ୍କ ସହ ରୋହିତଙ୍କୁ ଓପନିଂ ଭାର ସମ୍ଭାଳିବାକୁ ପଡ଼ୁଛି। ଏପରି କି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରାହୁଲଙ୍କୁ ଷ୍ଟ୍ରାଇକ ନେବାକୁ ଅନୁମତି ଦେଇଥିଲେ ସିନିୟର ଓପନର। ମୋ ଭଳି ରାହୁଲ ମଧ୍ୟ ପାଳି ଆରମ୍ଭ କରିବାକୁ ଚାହାନ୍ତି। ସେ ପ୍ରଥମ ଥର ବିଶ୍ୱକପ୍‌ରେ ଓପନିଂ କରିବାକୁ ସୁଯୋଗ ପାଇଥିବାରୁ ମୁଁ ତାଙ୍କ ଉପରୁ ଚାପ ହଟାଇବା ଲାଗି ଏପରି କରିଥିଲି ବୋଲି ରୋହିତ କହିଛନ୍ତି। ଉଲ୍ଲେଖଥାଉ କି, ପାକିସ୍ତାନ ବିପକ୍ଷରେ ରୋହିତ-ରାହୁଲ ପ୍ରଥମ ଉଇକେଟ ପାଇଁ ୧୩୬ ରନ୍‌ର କରିଥିଲେ। ଏହି ଭାଗୀଦାରି ବେଳେ ପାକିସ୍ତାନ ଫିଲ୍ଡରଙ୍କୁ ଦୁଇ ଥର ରନ୍‌ଆଉଟ୍‌ ସୁଯୋଗ ଦେଇଥିଲା। ଏଣୁ ଚାମ୍ପିୟନ ଓପନର ବୁଝାମଣା ଚ୍ୟାଲେଞ୍ଜକୁ ଶୀଘ୍ର ଅତିକ୍ରମ କରିବାକୁ ଚାହୁଁଛନ୍ତି। ଆମ ମଧ୍ୟରେ ବୁଝାମଣା ଥିଲେ କଲ ନ କରି ମଧ୍ୟ ହିଁ ସିଙ୍ଗଲକୁ ଦୁଇ ରନ୍‌ରେ ପରିବର୍ତ୍ତନ କରିପାରିବୁ। ଏହା ଛୋଟିଆ କଥା। ହେଲେ ବହୁତ ଗୁରୁତ୍ୱପୂୂର୍ଣ୍ଣ। ବୁଝାମଣା ନ ରହିଲେ ଆମେ କୌଣସି ସମୟରେ ରନ୍‌ ଆଉଟ୍‌ ହୋଇପାରିବୁ।

Share