ରାୟଗଡ଼ାରେ ହେବ କୋଭିଡ୍‌-୧୯ ନମୁନା ପରୀକ୍ଷା

ରାୟଗଡ଼ା ଅଫିସ,୧୭ା୬: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯିବ। ଏହି ପରିପ୍ରେକ୍ଷୀରେ ବି.ଏସ୍‌-୨ ପରୀକ୍ଷାଗାରକୁ ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା ବୁଧବାର ଉଦ୍‌ଘାଟନ କରିଛନ୍ତି। ଏହି ପରୀକ୍ଷାଗାରରେ ଜିଲାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ଏଥିପାଇଁ ଜିଲାବାସୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ତାହା ଆଜି ପୂରଣ ହୋଇଛି। ଏଣିକି ଦୈନିକ ଜିଲାରୁ ସଂଗୃହୀତ ନମୁନା ଏଠାରେ ପରୀକ୍ଷା କରାଯାଇପାରିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ କହିଛନ୍ତି, ଏହି ପରୀକ୍ଷାଗାରରେ ଦୈନିକ ୧୬ଜଣଙ୍କର ନମୁନା ପରୀକ୍ଷା କରାଯାଇପାରିବ। ପରୀକ୍ଷାଗାର ପରିଚାଳନା ନିମନ୍ତେ ୪ଜଣ ପରୀକ୍ଷାଗାର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡା. ରାଜୁ, ଡା. ପ୍ରଫୁଲ କୁମାର ପାଢ଼ୀ,ଡି. ପି.ଏମ୍‌ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଜିଲାପାଳ ହସ୍ପିଟାଲର ବିଭିନ୍ନ ଓ୍ବାର୍ଡ ବୁଲି ରୋଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

Share