ରାୟଗଡ଼ା ଜଳାର୍ଣ୍ଣବ: ଲଗାଣ ବର୍ଷାରେ ଧୋଇଗଲା ରେଲଓ୍ବେ ଟ୍ରାକ

ରାୟଗଡା ଅଫିସ/ମୁନିଗୁଡ଼ା/ଅମ୍ବାଦଳା, ୭।୮(ଡି.ଏନ୍‌.ଏ.): ଗତ ୪୦ ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ଯୋଗୁ ରାୟଗଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମୁନିଗୁଡ଼ା ବ୍ଲକ। ମୁଖ୍ୟତଃ ଅମ୍ବାଦଳା, ଇଚ୍ଛାପୁର, ରଘୁବାରି ଓ ଡିମିରିଗୁଡ଼ା ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି। ଅମ୍ବାଦଳା ରେଳଷ୍ଟେଶନ ନିକଟ ଖାରିପୁଲିଆ ନିକଟରେ ବଂଶଧାରା ନଦୀର ଶାଖା ନାଳରେ ବନ୍ୟାଜଳ ପ୍ରବାହିତ ହୋଇ ରେଳ ପୋଲକୁ ସମ୍ପୂର୍ଣ୍ଣ ରୂପେ ଧୋଇ ଦେଇଛି। ମଙ୍ଗଳବାର ରାତି ପ୍ରାୟ ୨ଟାରେ ବନ୍ୟାଜଳ ପ୍ରଭାବିତ ହୋଇ ପ୍ରଥମେ ରେଳ ଧାରଣାକୁ ଧୋଇଥିଲା। ରେଳଧାରଣା ତଳର ମାଟି ଓ କଂକ୍ରିଟକୁ ଧୋଇବା ପରେ ପୋଲଟି ସମ୍ପୂର୍ଣ୍ଣ ଭୂଷୁଡି ପଡିଥିଲା। ପୋଲ ଉପରେ ରାୟଗଡ଼ାରୁ ଲାଞ୍ଜିଗଡ଼ ଅଭିମୁଖେ ଯାଉଥିବା ଏକ ବକ୍ସାଇଟ ବୋଝେଇ ଟ୍ରେନ ଠିଆ ହୋଇଥିବା ସମୟରେ ପୋଲଟି ଭୁଶୁଡ଼ି ପଡିଥିଲା। ଫଳରେ ଉକ୍ତ ଟ୍ରେନର ୩ଟି ବଗି ଓଲଟି ପଡିଛି। ଖବରପାଇ ଘଟଣାସ୍ଥଳରେ ସମ୍ବଲପୁର ଏଡିଆର୍‌ଏମ୍‌ ଏଲ୍‌.ପାତୁଡୁଙ୍କ ସମେତ ଟେକ୍‌ନିକାଲ ଟିମ୍‌ ପହଞ୍ଚତ୍ ମରାମତି କାମ ଆରମ୍ଭ କରିଛନ୍ତି। ଏହି କାମ ଶେଷ ହେବାକୁ ପ୍ରାୟ ୧୮ ଘଣ୍ଟା ଲାଗିବ ବୋଲି ଏଡିଆର୍‌ଏମ୍‌ କହିଛନ୍ତି। ଫଳରେ ଏହି ରୁଟ୍‌ ଦେଇ ଯାଉଥିବା ସମ୍ବଲପୁର-ରାୟଗଡ଼ା ତପସ୍ବିନୀ ଏକ୍ସପ୍ରେସ, ଭୁବନେଶ୍ୱର-ଜୁନାଗଡ଼ ଲିଙ୍କ୍‌ ଏକ୍ସପ୍ରେସ, ରାୟପୁର-ବିଶାଖାପାଟଣା ପାସେଞ୍ଜର, ସମ୍ବଲପୁର-କୋରାପୁଟ ପାସେଞ୍ଜର ସହ ୮ଟି ଟ୍ରେନକୁ ବାତିଲ କରାଯାଇଛି। ସେହିଭଳି ଅହମ୍ମଦାବାଦ-ପୁରୀ, ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସଭଳି ୮ଟି ଟ୍ରେନ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି। ତେବେ ଯାତ୍ରୀଙ୍କ ସୁବିଧା ନିମନ୍ତେ ୩ ଟି ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଛି। ସମ୍ବଲପୁର ଷ୍ଟେଶନ ପାଇଁ ୯୪୩୭୩୮୬୭୫୯, ଟିଟିଲାଗଡ ଷ୍ଟେଶନ ପାଇଁ ୮୪୫୫୮୯୨୮୩୧/୯୪୩୭୩୮୬୬୯୩ ନମ୍ବର ଜାରି କରାଯାଇଛି।

Share