ରାୟଗଡ଼ା ଜିଲା ମତ୍ସ୍ୟ କାର୍ଯ୍ୟାଳୟ: କର୍ମଚାରୀ ଅଭାବ, ସଫଳ ହେଉନି ଯୋଜନା

ରାୟଗଡ଼ା ଅଫିସ, ୪।୨- ରାଜ୍ୟ ସରକାର ମତ୍ସ୍ୟଚାଷୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ମତ୍ସ୍ୟ ପୋଖରୀ ଯୋଜନା, ମତ୍ସ୍ୟଜୀବୀ ପରିବାରର ପିଲାଙ୍କ ପାଇଁ ମେଧାବୃତ୍ତି ବ୍ୟବସ୍ଥା କରାଯାଇଛି। ଚାଷୀମାନେ ଯେପରି ସୁବିଧାରେ ସରକାରୀ ସହାୟତା ପାଇପାରିବେ, ସେଥିପାଇଁ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ରହିଛି। ହେଲେ ରାୟଗଡ଼ା ଜିଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି। ଯୋଜନା ଅନେକ ରହିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ୨ ବର୍ଷ ହେଲା ଏଠାରେ ସ୍ଥାୟୀ ଜିଲା ମତ୍ସ୍ୟ ଅଧିକାରୀ ନାହାନ୍ତି। କୋରାପୁଟ ମତ୍ସ୍ୟ ଅଧିକାରୀ ଅରୁଣ କୁମାର ବେହେରା ରାୟଗଡ଼ା ଜିଲା ଦାୟିତ୍ୱରେ ମଧ୍ୟ ରହିଛନ୍ତି। ପ୍ରତ୍ୟେକ ବ୍ଲକ୍‌ରେ ଜଣେ ଲେଖାଏ ଏବଂ ଜିଲା ସଦରରେ ୨ ସହାୟକ ମତ୍ସ୍ୟ ଅଧିକାରୀ ପଦବୀ ରହିଛି। ହେଲେ ଏଠାରେ ୧୩ ବଦଳରେ ୭ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ସେହିପରି ୨ ସିନିୟର ଫିସେରି ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ ପଦବୀ ରହିଥିବାବେଳେ ତାହା ମଧ୍ୟ ଖାଲି ପଡ଼ିଛି। ଏହା ବ୍ୟତୀତ କାର୍ଯ୍ୟାଳୟରେ ଗୋଟିଏ କମ୍ପ୍ୟୁଟର୍‌ ଅପରେଟର୍‌, ଷ୍ଟେନୋ, ୩ କିରାଣି ପଦବୀ ରହିଥିବାବେଳେ ଜଣେ କିରାଣିରେ କାମ ଚାଲିଛି। ରାୟଗଡ଼ା ଜିଲାର ଗ୍ରାମାଞ୍ଚଳରେ ଅନେକେ ମତ୍ସ୍ୟ ଚାଷ ପାଇଁ ଆକୃଷ୍ଟ ହୋଇଥାନ୍ତି। ହେଲେ ଏଠାରେ ଗ୍ରାମାଞ୍ଚଳରେ ଅଧିକାରୀମାନେ ନାହାନ୍ତି। ଯେଉଁମାନେ କାର୍ଯ୍ୟରତ ଅଛନ୍ତି, ସେଥିମଧ୍ୟରୁ ରାମନାଗୁଡ଼ାର ଜଣେ ଅଧିକାରୀ ବିବାହ ଭୋଜିକୁ ଯାଉଥିବା କହି ୪ ମାସ ହେଲା ଛୁଟିରେ ରହିଛନ୍ତି। ଏ ନେଇ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେଉ ନ ଥିବାବେଳେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇନାହିଁ। ଏପରି ସ୍ଥିତିରେ ମତ୍ସ୍ୟ ଚାଷୀ ବିଭିନ୍ନ ଯୋଜନା ବିଷୟରେ ଜାଣିପାରୁନାହାନ୍ତି। ଏ ନେଇ ଭାରପ୍ରାପ୍ତ ଜିଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, କର୍ମଚାରୀଙ୍କ ଅଭାବ ରହିଛି। ତେଣୁ ଆମକୁ ମଧ୍ୟ ବହୁ ଅସୁବିଧା ହେଉଛି ଏବଂ କାମ ତ୍ୱରାନ୍ବିତ ହେଉନାହିଁ। ସେହିପରି ଛୁଟିରେ ଥିବା ଅଧିକାରୀଙ୍କୁ ନୋଟିସ କରାଯାଇଛି ଏବଂ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇଛୁ।

Share