ରାୟୁଡୁଙ୍କ ଅବସର: ଚୟନକର୍ତ୍ତାଙ୍କୁ ଗମ୍ଭୀରଙ୍କ ସମାଲୋଚନା

ବର୍ମିଂହାମ,୩।୭(ପିଟି)- ଅମ୍ବାତି ରାୟୁଡୁଙ୍କ ଅବସର ପରେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ବୁଧବାର ଏମ୍‌ଏସ୍‌କେ ପ୍ରସାଦଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ସମାଲୋଚନା କରିଛନ୍ତି। କମିଟିର ୫ ଜଣ ସଦସ୍ୟ ମିଳିତ ଭାବେ ସେତିକି ରନ୍‌ କରିନାହାନ୍ତି, ଯେତିକି ରାୟୁଡୁଙ୍କ ନାମରେ ଅଛି। ତାଙ୍କ ଅବସର ନିଷ୍ପତ୍ତି ନେଇ ମୁଁ ବହୁତ ଦୁଃଖିତ। ବିଶ୍ୱକପ୍‌ ଦଳରେ ଆହତ ସମସ୍ୟା ଯୋଗୁ ରିଷଭ ପନ୍ତ ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ସୁଯୋଗ ମିଳିଲା। ରାୟୁଡୁଙ୍କ ସ୍ଥାନରେ ଅନ୍ୟ କେହି ଥିଲେ ମଧ୍ୟ ଦୁଃଖ ଲାଗିଥାନ୍ତା। ମୋ ମତରେ ଚୟନକର୍ତ୍ତା ଭୁଲ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ତ୍ରୁଟି ଯୋଗୁ ରାୟୁଡୁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଚୟନକର୍ତ୍ତାଙ୍କ ନିଷ୍ପତ୍ତି ନେବାର ଦକ୍ଷତା ନାହିଁ ବୋଲି ଭାଜପା ଏମ୍‌ପି ଗମ୍ଭୀର କହିଛନ୍ତି। ସେ ଆହୁରି କହିଛନ୍ତି, ସେ ଆଇପିଏଲରେ ଓ ଦେଶ ଲାଗି ଭଲ ପ୍ରଦର୍ଶନ କରିଛନ୍ତି। ୩ ଶତକ ଓ ୧୦ ଅର୍ଦ୍ଧଶତକ ତାଙ୍କ ନାମରେ ରହିଛି। ଏହାସତ୍ତ୍ୱେ ତାଙ୍କୁ ବାଧ୍ୟ ହୋଇ ଅବସର ନେବାକୁ ପଡ଼ୁଛି। ଏହା ଭାରତୀୟ କ୍ରିକେଟ ଦୁଃଖର ମୁହୂର୍ତ୍ତ। ଗମ୍ଭୀର ରାଜନୀତିରେ ଯୋଗଦେବା ପୂର୍ବରୁ ୫୮ ଟେଷ୍ଟ ଓ ୧୪୭ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ତାଙ୍କୁ ମଧ୍ୟ ବିଦାୟୀ ମ୍ୟାଚ୍‌ ମିଳି ନ ଥିଲା।

Share