Categories: ଖେଳ

ରାୟୁଡୁ, କେଦାର, ମୁରଲୀଙ୍କୁ ଛାଡ଼ିପାରେ ସିଏସ୍‌କେ

ନୂଆଦିଲ୍ଲୀ,୧୩।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅମ୍ବାତି ରାୟୁଡୁ, କେଦାର ଯାଦବ ଓ ମୁରଲୀ ବିଜୟଙ୍କୁ ଛାଡ଼ିବାର ବିଶେଷ ସମ୍ଭାବନା ରହିଛି। ଏ ନେଇ କିଛି କ୍ରିକେଟ ଆଧାରିତ ଓ୍ବେବସାଇଟ୍‌ରେ ଖବର ପ୍ରକାଶ ପାଇଛି। ହେଲେ ଏଥିରେ କୌଣସି ସୂତ୍ରର ନାମ ସ୍ପଷ୍ଟ କରାଯାଇ ନାହିଁ। ବିଭିନ୍ନ ସାଇଟ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ରାୟୁଡୁ ଓ ଯାଦବଙ୍କୁ ନିଲାମ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ଉଭୟଙ୍କୁ ସିଏସ୍‌କେ କମ୍‌ ମୂଲ୍ୟରେ କିଣିବାକୁ ଚାହୁଁଛି। ଆଇପିଏଲର ଅଫ୍‌ ସିଜନ ଖେଳାଳିଙ୍କ ଅଦଳ ବଦଳ ପ୍ରକ୍ରିୟା ଆସନ୍ତା ଗୁରୁବାର ଶେଷ ହେବ। ସେହିଦିନ ପ୍ରତ୍ୟେକ ଫ୍ରାଞ୍ଚାଇଜ ତା’ର ରିଟେନ ଖେଳାଳିଙ୍କ ତାଲିକା ପ୍ରଦାନ କରିବେ। ଯେଉଁ ଖେଳାଳିମାନେ ଦଳରୁ ବାଦ୍‌ ପଡ଼ିବେ ଓ ଅନ୍ୟ ଖେଳାଳିଙ୍କୁ ନେଇ ଆସନ୍ତା ମାସ ୧୯ ତାରିଖରେ କୋଲକାତାଠାରେ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ରାୟୁଡୁ ଗତ ବର୍ଷ ୧୬ ମ୍ୟାଚ୍‌ରେ ୬୦୨ ରନ୍‌ କରି ଚାମ୍ପିୟନ ସିଏସ୍‌କେ ଦଳର ସଦସ୍ୟ ଥିଲେ। ଯାଦବ ପ୍ରାୟ ସମୟ ଧରି ଫିଟ୍‌ନେସ ସମସ୍ୟା ସହ ସଂଘର୍ଷ କରି ଆସୁଥିବାରୁ ଜାତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ସିଏସ୍‌କେ ୭.୮ କୋଟି ଟଙ୍କାରେ କିଣିଥିଲା। ବିଦେଶୀ ଖେଳାଳି ଶେନ ଓ୍ବାଟଶନ ଓ ଫାଫ ଡୁପ୍ଲିସିଙ୍କ ଉପସ୍ଥିତିରେ ବିଜୟଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳୁନାହିଁ। ଏହି ୩ ଖେଳାଳିଙ୍କ ବ୍ୟତୀତ ଲେଗ୍‌ ସ୍ପିନର କର୍ନ ଶର୍ମା ଓ ପେସର ଶାର୍ଦୁଳ ଠାକୁରଙ୍କୁ ମଧ୍ୟ ଦଳ ଛାଡ଼ିବ। କର୍ନଙ୍କୁ ୫ ଓ ଶାର୍ଦୁଳଙ୍କୁ ୨ କୋଟି ଟଙ୍କାରେ ସିଏସ୍‌କେ କିଣିଥିଲା।

Share