Categories: ଖେଳ

ରାୟୁଡୁ ହାଇଦ୍ରାବାଦ ଅଧିନାୟକ ନିଯୁକ୍ତ

ହାଇଦ୍ରାବାଦ, ୧୫।୯- ଅବସର ନିଷ୍ପତ୍ତିରୁ ଓହରିବାର ପାଖାପାଖି ୨ ସପ୍ତାହ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କୁ ଆଗାମୀ ବିଜୟ ହଜାରେ ଟ୍ରଫି ଲାଗି ହାଇଦ୍ରାବାଦ କ୍ରିକେଟ୍‌ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଚଳିତ ମାସ ଅନ୍ତିମ ଭାବରେ ୫୦ ଓଭର ବିଶିଷ୍ଟ ଘରୋଇ କ୍ରିକେଟ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଗତ ବିଶ୍ୱକପ୍‌ରେ ଭାରତର ୪ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ରାୟୁଡୁ ଦୌଡ଼ର ସର୍ବାଗ୍ରେ ରହିଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିଲା। ତେବେ ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ରହିଥିଲେ ମଧ୍ୟ ବିଜୟ ଶଙ୍କରଙ୍କ ବଦଳ ଖେଳାଳି ଭାବେ ମୟଙ୍କ ଅଗ୍ରଓ୍ବାଲଙ୍କୁ ପ୍ରାଧାନ୍ୟ ଦିଆଯିବା ପରେ ରାୟୁଡୁ ଚୟନକର୍ତ୍ତାଙ୍କ ନିଷ୍ପତ୍ତିରେ କ୍ଷୋଭ ପ୍ରକାଶ କରି ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ। କିନ୍ତୁ ପରେ ପ୍ରାକ୍ତନ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ଭି.ଭି.ଏସ୍‌. ଲକ୍ଷ୍ମଣ, ନୋଏଲ୍‌ ଡେଭିଡ୍‌ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଫିସିଆଲ ପ୍ରମୁଖ ରାୟୁଡୁଙ୍କୁ ମନାଇବାରେ ସଫଳ ହେବାପରେ ସେ ପୁନର୍ବାର କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। କ୍ରିକେଟ୍‌କୁ ଫେରିବା ପରେ ହାଇଦ୍ରାବାଦ୍‌ ପାଇଁ ଭଲ ଖେଳିବାକୁ ଲକ୍ଷ୍ୟ ରଖିଛି ବୋଲି ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ଚଳିତ ବର୍ଷ ମୋଟ ୩୭ ଦଳ ବିଜୟ ହଜାରେ ଟ୍ରଫିରେ ଅଂଶଗ୍ରହଣ କରୁଥିବାବେଳେ ମୁମ୍ବାଇ ଡିଫେଣ୍ଡିଂ ଚାମ୍ପିୟନ ରହିଛି। ଗ୍ରୁପ୍‌-ବି’ରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ହରିୟାଣା, କେରଳ, ସୌରାଷ୍ଟ୍ର ଓ ଉତ୍ତର ପ୍ରଦେଶ ସହ ହାଇଦ୍ରାବାଦ ସ୍ଥାନ ପାଇଛି।
ହାଇଦ୍ରାବାଦ ଦଳ: ଅମ୍ବାତି ରାୟୁଡୁ (ଅଧିନାୟକ), ବି. ସନ୍ଦୀପ (ଉପ-ଅଧିନାୟକ), ପି. ଅଖଥ୍‌ ରେଡ୍ଡୀ, ତନ୍ମୟ ଅଗ୍ରଓ୍ବାଲ, ଠାକୁର ତିଲକ୍‌ ବର୍ମା, ରୋହିତ୍‌ ରାୟୁଡୁ, ସିଭି ମିଲିନ୍ଦ, ମେହଦି ହାସାନ, ସକେତ୍‌ ସାଇ ରାମ, ମହମ୍ମଦ ସିରାଜ, ମିକ୍‌ଲ ଜୈସଓ୍ବାଲ, ଜେ. ମଲ୍ଲିକାର୍ଜୁନ (ଉଇକେଟ୍‌କିପର), କାର୍ତ୍ତିକେୟ କାକ୍‌, ରବି ତେଜା ଓ ଅଜୟ ଦେବ ଗୌଡ।

Share