ରିତେଶଙ୍କୁ ମିଳୁନି ସହାୟତା

ଫୁଲବାଣୀ ଅଫିସ, ୧୫ା୧-ଟିକାବାଲି ବ୍ଲକ ଛତିଝର ଗାଁର ଭୋଳେଶ୍ୱର ବେହେରା ଓ ସଙ୍ଗୀତା ମୁଖିଙ୍କ ଏକମାତ୍ର ପୁଅ ରିତେଶ। ବୟସ ଏବେ ୭ ବର୍ଷ ୪ ମାସ। ସେ ଦେଢ଼ ବର୍ଷର ହୋଇଥିବା ବେଳେ କଥା କହୁଥିଲେ। ପ୍ରାୟ ବର୍ଷେ ୮ ମାସର ହେବା ବେଳକୁ ସେ ବାକ୍‌ଶକ୍ତି ହରାଇଥିଲେ। ସରକାରଙ୍କ ପକ୍ଷରୁ ଗତ ଅକ୍ଟୋବରରେ ରିତେଶଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ଯୋଗାଇ ଦିଆଗଲା। ହେଲେ ଏ ଯାଏ ସହାୟତା ମିଳି ପାରୁନାହିଁ। ପୁଅକୁ ଭୋଳେଶ୍ୱର ମେଡିକାଲକୁ ନେଇଥିଲେ। ଆଉ ଟିକେ ବଡ ହେଲେ ସେ କଥା କହିବ ବୋଲି ଡାକ୍ତର କହିଥିଲେ। ପରେ ବାରମ୍ବାର ମେଡିକାଲ ଯାଇ ଖର୍ଚ୍ଚାନ୍ତ ହୋଇଥିଲେ ସୁଦ୍ଧା ପୁଅ କଥା କହିନି ବୋଲି ଦିନ ମଜୁରୀ ଲାଗି ଚଳୁଥିବା ଭୋଳେଶ୍ୱର କହିଛନ୍ତି। ବିଡିଓ ଫକୀର ଚରଣ ପରିଡ଼ା କହିଛନ୍ତି, ରିତେଶଙ୍କ ପରିବାର ବୌଦ୍ଧ ଜିଲା ବାସିନ୍ଦା। ସେମାନେ କନ୍ଧମାଳ ଜିଲାରେ ଆସି ରହୁଛନ୍ତି। ଜମିବାଡି ଆଦି ନିଜ ନାମରେ ହେଲେ ଅର୍ଥାତ ଏଠାର ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଦେଲେ ସମସ୍ତ ସୁବିଧା ପାଇପାରିବେ। ନହେଲେ ବୌଦ୍ଧ ଜିଲାରେ ସମସ୍ତ ସୁବିଧା ମିଳିବ ବୋଲି କହିଛନ୍ତି।

Share