ରାଞ୍ଚି,୨୭।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ଅନ୍ୟ କୌଣସି ହସ୍ପିଟାଲରେ ଚିକିତ୍ସା କରାଯିବ ନାହିଁ। ପୂର୍ବପରି ରାଞ୍ଚିର ରିମ୍ସ ହସ୍ପିଟାଲରେ ହିଁ ତାଙ୍କର ଚିକିତ୍ସା କରାଯିବ। ଗୁରୁବାର ରିମ୍ସ ମେଡିକାଲ ବୋର୍ଡର ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେଠାରେ ତାଙ୍କୁ ଭଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବାରୁ ତାଙ୍କୁ ଆଉ ସ୍ଥାନାନ୍ତର କରାଯିବ ନାହିଁ। ପାଖାପାଖି ୧୨ଟି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତିକରୁଥିବା ଲାଲୁଙ୍କ ମେଡିକାଲ ରିପୋର୍ଟ ଦେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତାଙ୍କର କ୍ରନିକ କିଡ୍ନୀ ଡିଜିଜ ଥିବାରୁ ଜଣେ ଭଲ ନେଫ୍ରୋଲୋଜିଷ୍ଟଙ୍କ ପରାମର୍ଶକ୍ରମରେ ଲାଲୁଙ୍କ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି। ଏମ୍ସ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ଚିକିତ୍ସା କରାଯିବାକୁ ବ୍ୟବସ୍ଥା କରାଯାଇଥିବାରୁ ସେ ରିମ୍ସରେ ହିଁ ଚିକିତ୍ସିତ ହେବେ ବୋଲି କହିଛି ରିମ୍ସ ମେଡିକାଲ ବୋର୍ଡ। ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଜେଲରେ ରହିବା କଥା। ହେଲେ ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି।