ରିଲିଜ୍‌ ପୂର୍ବରୁ ବିବାଦରେ ଫିଲ୍ମ ‘ପାନିପତ’

ମୁମ୍ବାଇ: ରିଲିଜ୍‌ ପୂର୍ବରୁ ବିବାଦ ଘେରକୁ ଚାଲିଆସିଛି ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ବାରିକରଙ୍କ ଫିଲ୍ମ ‘ପାନିପତ’। ଉକ୍ତ ଫିଲ୍ମରେ ମହାନ ମରାଠା ସେନାପତି ଓ ତାଙ୍କର ଦ୍ୱିତୀୟ ସ୍ତ୍ରୀ ମସ୍ତାନୀଙ୍କୁ ଅପମାନଜନକ ଢଙ୍ଗରେ ପରିବେଷଣ କରାଯାଇଛି ବୋଲି ପେଶଓ୍ବା ବାଜିରାଓଙ୍କ ବଂଶ ଦାବି କରିଛନ୍ତି। ଏନେଇ ଫିଲ୍ମ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଭୋପାଳରେ ରହୁଥିବା ପେଶଓ୍ବା ବାଜିରାଓଙ୍କ ୮ମ ପିଢ଼ିର ବଂଶଜ ନବାବଜାଦା ଶାଦାବ ଅଲି ବାହାଦୂର ଫିଲ୍ମର ପ୍ରଯୋଜକ ସୁନୀତା ଗୋଓ୍ବାରିକର, ରୋହିତ ଶେଲତାକର ଏବଂ ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ବାରିକରଙ୍କ ନଁାରେ ନୋଟିସ ପଠାଇଛନ୍ତି। ଏକ ସ୍ବତନ୍ତ୍ର ସଂଳାପକୁ ନେଇ ଏହି ନୋଟିସ ଦିଆଯାଇଥିବା ଜଣାପଡ଼ିଛି। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଏଥିରେ ଅଭିନେତ୍ରୀ କ୍ରିତି ସେନନ୍‌ ଏକ ସଂଳାପରେ କହିଛନ୍ତି, ‘ଶୁଣିବାକୁ ମିଳେ ପେଶଓ୍ବା ଯେତେବେଳେ ଏକୁଟିଆ ଗସ୍ତ କରନ୍ତି ସେତେବେଳେ ସେ ଜଣେ ମସ୍ତାନୀଙ୍କୁ ନେଇ ଫେରନ୍ତି’। ଏହି ସଂଳାପ ଉପରେ ବାଜିରାଓଙ୍କ ବଂଶଜ ଆପତ୍ତି ଉଠାଇବା ସହ ଏଥିରେ ମସ୍ତାନି ଓ ପେଶଓ୍ବା ବାଜିରାଓଙ୍କୁ ଅପମାନ କରାଯାଇଛି ବୋଲି କହିଛନ୍ତି। ୧୭୬୧ରେ ମରାଠା ଓ ଆଫଗାନ ବିଜେତା ଅହମ୍ମଦ ଶାହ ଅବଦ୍ଦାଲିଙ୍କ ମଧ୍ୟରେ ହରିୟାଣାର ଏକ ସ୍ଥାନ ପାନିପତ ଉପରେ ତୃତୀୟ ଯୁଦ୍ଧ ହୋଇଥିଲା। ଏହି କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଏଥିରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର, ଅଭିନେତ୍ରୀ କ୍ରିତି ସେନନ୍‌ ଓ ସଞ୍ଜୟ ଦତ୍ତଙ୍କ ଅଭିନୟ ଦେଖିବାକୁ ମିଳିବ। ଡିସେମ୍ବର ୬ରେ ଏହି ଫିଲ୍ମ ବଡ଼ ପରଦାକୁ ଆସିବ ବୋଲି ଜଣାପଡ଼ିଛି।

Share