ରିଲିଫ୍‌ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ/ପଦ୍ମପୁର,/ କେନ୍ଦୁଝର, ୧ା୪(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ବିଭିନ୍ନ ଆଡୁ ସହାୟତା ରାଶି ପ୍ରଦାନ କରାଯାଇଛି। ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତ ମା’ ତାରିଣୀ ଫେଡରେଶନ ସଙ୍ଗଠନ ପକ୍ଷରୁ ୧ଲକ୍ଷ ଟଙ୍କାର ଚେକ୍‌ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ଜିଲାର ପ୍ରାଣୀ ଚିକିତ୍ସା ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ଏକାଠି ହୋଇ ମଙ୍ଗଳବାର ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ୨୫ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରିଛନ୍ତି। ଭଦ୍ରକରେ ଜଣେ ସ୍ବଳ୍ପ ରୋଜଗାର କରୁଥିବା ସତ୍ୟସୁନ୍ଦର ପାଲ ରିଲିଫ ପାଣ୍ଠିକୁ ୨୦ହଜାର ଟଙ୍କା ଚେକ୍‌ ପ୍ରଦାନ କରିଛନ୍ତି।
ସେହିଭଳି ବିଦେଇପୁର ହାଇୱା ସିଣ୍ଡିକେଟ୍‌ ତରଫରୁ ୨୫ହଜାର ଟଙ୍କାର ଚେକ୍‌ ବାସୁଦେବପୁରପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ସିଣ୍ଡିକେଟ୍‌ର ସଭାପତି ବଂଶୀଧର ବିଶ୍ୱାଳ ଓ ସମ୍ପାଦକ କମଳାକାନ୍ତ ଘଡ଼େଇ ପ୍ରଦାନ କରିଛନ୍ତି। ସେହିପରି କେନ୍ଦୁଝରଗଡ ପୌରପାଳିକାର ପୂର୍ବତନ ନଗରପାଳ ସରୋଜ କୁମାର ସାହୁ କେନ୍ଦୁଝରଗଡ ପୌରପାଳିକା ରିଲିଫ୍‌ ପାଣ୍ଠିକୁୁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦୁଝରଗଡ ପୌରପାଳିକା ରିଲିଫ୍‌ ଫଣ୍ଡ ନାମରେ ଥିବା ଆକାଉଣ୍ଟକୁ ସେ ୧ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। କରୋନା ପାଇଁ ଲକ୍‌ଡାଉନ୍‌ ସମୟରେ ପୌରାଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଏହି ଅର୍ଥ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।