ରିଲିଫ ପାଣ୍ଠିକୁ ହଜାରେ ଟଙ୍କା ଦେଲେ ୫ମ ଶ୍ରେଣୀ ଛାତ୍ର

ସୋର, ୭ା୪(ଡି.ଏନ.ଏ.)-ସମଗ୍ର ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଲଢୁଛି। କରୋନା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନ ପକ୍ଷରୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଉଛି। ଜଣେ ୫ମ ଶ୍ରେଣୀ ଛାତ୍ର ନିଜ ଟିଫିନ୍‌ ଖର୍ଚ୍ଚରୁ ସଞ୍ଚୟ କରିଥିବା ୧ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରି ଉଦାହରଣ ପାଲଟିଛନ୍ତି। ସୋର ନିକଟସ୍ଥ ଗୋପାଳପୁର ଗ୍ରାମର ନିର୍ମଳ କୁମାର ବେହେରା ଓ ରୀନାରାଣୀଙ୍କ ପୁଅ ଅବିନାଶ ସୋମବାର ସୋର ତହସିଲ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ତହସିଲଦାର ଲିପ୍‌ସା ରାୟଙ୍କୁ ଏହି ଅର୍ଥ ଡ୍ରାଫ୍ଟ ଆକାରରେ ପ୍ରଦାନ କରିଛନ୍ତି। ଅବିନାଶ ଏବେ ଉତ୍ତରେଶ୍ୱର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ୫ମ ଶ୍ରେଣୀର ଛାତ୍ର। ସେ ନିଜ ଟିଫିନ୍‌ ଖର୍ଚ୍ଚରୁ ଏହି ଅର୍ଥ ସାଇକେଲଟିଏ କିଣିବାକୁ ସଞ୍ଚୟ କରୁଥିଲେ। କରୋନାର ଭୟାବହ ପରିସ୍ଥିତିକୁ ନଜରରେ ରଖି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ଅର୍ଥ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ସେହିପରି ଦହିପୁର-ନୂଆପୁର ଗ୍ରାମ ରାଧାଗୋବିନ୍ଦଜୀଉ ମେଲଣ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧୫ହଜାର ଟଙ୍କା ଡ୍ରାଫ୍ଟ ଆକାରରେ ପ୍ରଦାନ କରାଯାଇଛି। କମିଟି କର୍ମକର୍ତ୍ତାମାନେ ସୋର ଅତିରିକ୍ତ ତହସିଲଦାର ଲିପ୍‌ସା ରାୟଙ୍କ ଜରିଆରେ ଏହି ଅର୍ଥ ରିଲିଫ୍‌ ଫଣ୍ଡକୁ ଦାନ କରିଛନ୍ତି। ସେହିପରି ସୋର ମ୍ୟୁନିସିପାଲିଟି ଅଧୀନ ରାଇପୁର ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧୧ହଜାର ଟଙ୍କାର ଏକ ଚେକ୍‌ ବିଧାୟକ ପର୍ଶୁରାମ ଧଡାଙ୍କୁ ଭେଟି ପ୍ରଦାନ କରିଛନ୍ତି।

Share