ରିଲିଫ ଫଣ୍ଡକୁ ଶିଳ୍ପପତି ଦେଲେ ୨ଲକ୍ଷ

ରୂପ୍‌ସା, ୨୦।୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶ ଓ ରାଜ୍ୟରେ ବିଭିନ୍ନ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଓ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ବିଭିନ୍ନ ବର୍ଗର ଲୋକେ ସହାୟତାର ହାତ ବଢ଼ାଇଛନ୍ତି। ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ବିଶିଷ୍ଟ ଶିଳ୍ପପତି ତଥା ‘ବାବୁ ଭାଇଜାନ’ ଚଳଚ୍ଚିତ୍ରର ନିର୍ମାତା ଅବଦୁଲ ଅମିନ ଖାନ ଶନିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦାନ କରିଛନ୍ତି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ କରି ସେ ଏହି ସହାୟତା ରାଶିର ଚେକ୍‌ ପ୍ରଦାନ କରିଛନ୍ତି। ଦେଶ ତଥା ରାଜ୍ୟର ଏଭଳି ବିପତ୍ତି ସମୟରେ ସବୁ ମହଲରୁ ସହଯୋଗ ପାଇଁ ସେ ଆହ୍ବାନ ଦେଇଛନ୍ତି। ଏହି ଚେକ ପ୍ରଦାନ ବେଳେ ସାମାଜିକ କର୍ମୀ ସଲିମ ଖାନ, ବରିଷ୍ଠ ଅଧିକାରୀ ତେଜପାଲ ଶର୍ମା ଓ ବିନୋଦ ସିଂ ଶେଖାୱତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।