Categories: ଜାତୀୟ

ରିଲିଫ ସାମଗ୍ରୀ ବଣ୍ଟନ ସମୟରେ ଗଳିପଡ଼ିଲେ ଜିଲାପାଳ

ବାରାଣସୀ,୧୯।୯: ପୂର୍ବାଞ୍ଚଳ ବାରାଣସୀ ସମେତ ବହୁ ଆଖପାଖ ଜିଲାରେ ଗଙ୍ଗାର ଜଳସ୍ତର ବଢ଼ିବାରେ ଲାଗିଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳଗୁଡିକରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସ୍ଥାନୀୟ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପଟେ ଜିଲାରେ ବନ୍ୟା ପୀଡ଼ିତଙ୍କ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଥିବା ବେଳେ ପ୍ରାଶାସନିକ ଅଧିକାରୀମାନେ ରିଲିଫ ବଣ୍ଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ବାରାଣସୀ କୋନିଆର ଜିଲାପାଳ ଓ ଏନ୍‌ଡିଆରଏଫ ଟିମ୍‌ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ, ଜିଲାପାଳ ସୁରେନ୍ଦ୍ର ସିଂହ ବନ୍ୟା ପୀଡ଼ିତଙ୍କୁ ଏକ କାନ୍ଥ ଉପରେ ବସି ରିଲିଫ ବଣ୍ଟନ କରୁଥିଲେ। ସେହି ସମୟରେ ସନ୍ତସନ୍ତିଆ ଯୋଗୁ କାନ୍ଥଟି ଭୁଶୁଡ଼ିପଡ଼ିଥିଲା। ଫଳରେ ସୁରେନ୍ଦ୍ର ସିଂହ ଓ ଏନଡିଆରଏଫ୍‌ର କର୍ମଚାରୀମାନେ ତଳେ ପଡ଼ିଯାଇଥିଲେ। ତେବେ ଜିଲାପାଳ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share