Categories: ମେଟ୍ରୋ

ରିଲ୍‌ ନୁହେଁ, ରିୟଲ୍‌ ହିରୋ

ଭୁବନେଶ୍ୱର,୫।୬(ବ୍ୟୁରୋ): ଅନ୍ୟକୁ ସାହାଯ୍ୟ କରିବା ପାଇଁ କେବଳ ଆବଶ୍ୟକ ଦୃଢ ମନୋବଳ ଓ ସାହାଯ୍ୟ କରିବାର ମନୋବୃତ୍ତି। ନିକଟରେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଅନେକ ବ୍ୟକ୍ତିବିଶେଷ। ଏଭଳିସ୍ଥିତିରେ ଓଡ଼ିଆ କଳାକାର ସବ୍ୟସାଚୀ ମିଶ୍ର ନିଜ ସହଯୋଗ ମନୋବୃତ୍ତି ପାଇଁ ଏବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛନ୍ତି। ରିଲ୍‌ ଭଳି ରିୟଲ୍‌ ଲାଇଫରେ ମଧ୍ୟ ଅନେକଙ୍କ ପାଇଁ ହିରୋ ସାଜିଛନ୍ତି ସବ୍ୟସାଚୀ। ରାଜସ୍ଥାନରେ ଫସିଥିବା ଓଡ଼ିଆ ଛାତ୍ରୀଛାତ୍ର ହୁଅନ୍ତୁ କି ଆନ୍ଧ୍ରପ୍ରଦେଶରେ ଫସିଥିବା ପ୍ରବାସୀ ଶ୍ରମିକ, ସବ୍ୟସାଚୀ ସମସ୍ତଙ୍କୁ ସୁରକ୍ଷିତଭାବେ ନିଜ ଜନ୍ମମାଟିକୁ ଫେରାଇ ଆଣିଛନ୍ତି। କେବଳ ସେ ନୁହନ୍ତି, ପରଦା ପଛରେ ରହି ଆଉକିଛି ଓଡ଼ିଆ କଳାକାର, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଏକାଧିକ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି।
ଲକ୍‌ଡାଉନ୍‌ ସମୟରେ ପ୍ରଥମେ କର୍କଟ ରୋଗୀମାନଙ୍କୁ ମେଡିକାଲରେ ପହଞ୍ଚାଇବାରେ ସହଯୋଗ କରିଥିଲେ ସବ୍ୟସାଚୀ। ଲକ୍‌ଡାଉନ ଯୋଗୁ ଜରୁରୀ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ପହଞ୍ଚତ୍ ପାରୁ ନ ଥିବା ୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ସେ ଚିକିତ୍ସା ବ୍ୟବସ୍ଥା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ୧ଲକ୍ଷ ଟଙ୍କା ପ୍ରଦାନ କରିବା ସହ ଫେସ୍‌ବୁକ୍‌ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ପୂର୍ବରୁ ନିଜ ଫିଲ୍ମ ପ୍ରମୋଶନ ପାଇଁ ବ୍ୟବହାର କରୁଥିବା ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲକୁ ସବ୍ୟସାଚୀ ଏବେ ସମସ୍ୟାରେ ପଡ଼ିଥିବା ଓଡ଼ିଆମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରୁଛନ୍ତି। ଘରେ ଏକ ‘ମିନି କଣ୍ଟ୍ରୋଲ ରୁମ୍‌’ ଖୋଲି ସେ ନିଜ ଲାପ୍‌ଟପ୍‌ ଓ ମୋବାଇଲ୍‌ ଫୋନ୍‌ରେ ଲୋକଙ୍କୁ ଯୋଗାଯୋଗ କରୁଛନ୍ତି। ଇତିମଧ୍ୟରେ ସବ୍ୟସାଚୀ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଭଳି ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆମାନଙ୍କୁ ସେମାନଙ୍କ ନିଜ ଘରକୁ ଫେରାଇ ଆଣିଛନ୍ତି। ବୁଧବାର ବେଙ୍ଗାଲୁରରେ ଏକ ଭାଟିରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକ ପ୍ରଦୀପଙ୍କ ପରିବାରକୁ ବିମାନ ଯୋଗେ ଘରକୁ ଫେରାଇ ଆଣି ସବ୍ୟସାଚୀ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ଗୁରୁବାର ତାମିଲନାଡ଼ୁରେ ଫସିଥିବା ରାୟଗଡ଼ା, ଗଞ୍ଜାମ ଓ ଭଦ୍ରକର ୩୦ ଓଡ଼ିଆ ଶ୍ରମିକଙ୍କୁ ସ୍ବତନ୍ତ୍ର ବସ୍‌ରେ ଓଡ଼ିଶା ଆଣିଛନ୍ତି।

Share