ରିଷି କହୁଥିଲେ ନିଚ୍ଛକ କଥା: ପିତା ରାଜକପୁରଙ୍କ ବିବାହ ପରର ସମ୍ପର୍କରେ ନିଜ ପୁସ୍ତକରେ କରିଥିଲେ ଉଲ୍ଲେଖ

ମୁମ୍ବାଇ,୩୦।୪: ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ରିଷି କପୁର ସବୁବେଳେ ନିଚ୍ଛକ  କଥା ହିଁ କହୁଥିଲେ। ଏଥିପ୍ରତି ତାଙ୍କର ଭୟ ବି ନ ଥିଲା। ଯାହା ସତ ତାହା ହିଁ ସବୁବେଳେ ତାଙ୍କ ପାଇଁ ଥିଲା ସତ୍ୟ। ବେଳେବେଳେ ଅଧା ରାତିରେ ସେ ଟୁଇଟ୍‌ କରୁଥିଲେ।  ତାଙ୍କର  ସତ୍ୟ କହିବା ଯୋଗୁ ସେ ବେଳେବେଳେ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ବି ହେଉଥିଲେ। ତେବେ ଏଥିପ୍ରତି ତାଙ୍କର ନ ଥିଲା ଭ୍ରୁକ୍ଷେପ। ସେ ଅତ୍ୟଧିକ ମଦ୍ୟପାନ କରୁଥିବା ସବୁବେଳେ ସ୍ବୀକାର କରୁଥିଲେ। ସେହିପରି ପୁତ୍ର ରଣବୀର କପୁରଙ୍କ ସହିତ ତାଙ୍କର ରହିଥିବା ଜେନେରଶନ୍‌ ଗ୍ୟାପ୍‌ କଥା ବି ବେଳେବେଳେ ବଖାଣୁଥିଲେ। ତାଙ୍କର ସତ କହିବା ଅଭ୍ୟାସ ଯୋଗୁ ସେ ପିତା ରାଜ କପୁରଙ୍କ ବିବାହ ପରବର୍ତ୍ତୀ ସମ୍ପର୍କ ବିଷୟରେ ନିଜ ପୁସ୍ତକ ‘ଖୁଲମ୍‌ ଖୁଲା’ରେ ଉଲ୍ଲେଖ କରିଥିଲେ। ୨୦୧୭ରେ ପ୍ରକାଶିତ ଏହି ପୁସ୍ତକରେ ସେ ପିତାଙ୍କ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ବର୍ଣ୍ଣନା କରିଥିଲେ। ରାଜ କପୁରଙ୍କର ନର୍ଗିସ୍‌ ଏବଂ ବୈଜୟନ୍ତୀ ମାଲାଙ୍କ ସହିତ ସମ୍ପର୍କ ଥିବା ଏହି ପୁସ୍ତକରେ ରିଷି ପ୍ରକାଶ କରିଥିଲେ। ଏହାଯୋଗୁ ମାତା କ୍ରିଷ୍ଣା କପୁର ବେଶ୍‌ ବ୍ୟସ୍ତ ରହୁଥିବା ଏହି ପୁସ୍ତକରେ ରିଷି ଦର୍ଶାଇଥିଲେ।

Share