Categories: ବାଣିଜ୍ୟ

ରିୟଲ ଇଷ୍ଟେଟରେ ବଢୁ ଟିକସ ରିହାତି

ନୂଆଦିଲ୍ଲୀ,୨୪-୧: ଦେଶର ରିୟଲ ଇଷ୍ଟେଟ କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ସହ ଜୁଝୁ ଥିବା ବେଳେ ଏହି କ୍ଷେତ୍ରରେ ଚାହିଦା ବଢାଇବା ଲାଗି ଶିଳ୍ପ ସଂଘ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେଇଛି। ସିଆଇଆଇ କହିଛି ଯେ, ଘର କ୍ରେତାଙ୍କ ଲାଗି ସରକାର ଟିକସ ରିହାତିକୁ ବଢାଇବାର ଆବଶ୍ୟକତା ରହିଛି। ଦେଶର ମୋଟ ଜିଡିପି ଅଭିବୃଦ୍ଧି ୬ରୁ ୭% କରିବା ଲାଗି ରିୟଲ ଇଷ୍ଟେଟ କ୍ଷେତ୍ରର ଚାହିଦା ବଢିବା ଭଳି ଯୋଜନା ହାତକୁ ନେବା ଆବଶ୍ୟକ। ଏହି କ୍ଷେତ୍ରକୁ ଅଧିକ ନଗଦ ଯୋଗାଣର ଆବଶ୍ୟକତାକୁ ମଧ୍ୟ ବୁଝିବାକୁ ହେବ ବୋଲି ଏହା ଏକ ବିବୃତ୍ତିରେ ପ୍ରକାଶ କରିଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କ୍ରେତାଙ୍କ ଲାଗି ଟିକସ ସୁବିଧା ବୃଦ୍ଧି ଏବଂ ଆୟ ସୀମା ବଢାଇବା ନେଇ ସିଆଇଆଇ ସରକାରଙ୍କୁ ନିବେଦନ କରିଛି। ଏହା ବଜେଟ ପୂର୍ବ ପରାମର୍ଶରେ କହିଛି ଯେ, ରିୟଲ ଇଷ୍ଟେଟ ପାଇଁ ଏକ ଫୋକସ ପ୍ଲାନ ଆସିବାର ଆବଶ୍ୟକତା ରହିଛି। ଏହା କାର୍ଯ୍ୟକାରୀ ହେବା ଦ୍ୱାରା ରିୟଲ ଇଷ୍ଟେଟ କ୍ଷେତ୍ର ଚାହିଦା ବଢିବା ସହ ଉଭୟ ସଙ୍ଗଠିତ ଏବଂ ଅଣ ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହେବ। ଏହା ସାମଗ୍ରିକ ଚାହିଦା ବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜୀତ ବାନାର୍ଜୀ କହିଛନ୍ତି।
ଘର ଋଣ ସୁଧ ପ୍ରଦାନ ଉପରେ ସର୍ବୋଚ୍ଚ ଉପଲବ୍ଧ ଡିଡକସନ ସୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢାଇବା ଲାଗି ସଂଘ ପକ୍ଷରୁ ମତ ଦିଆଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏମ୍‌ଆଇଜି ୧ ଏବଂ ୨ ବର୍ଗରେ ଆୟ ପ୍ରସଙ୍ଗକୁ ୧୨ ଏବଂ ୧୮ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୧୮ ଲକ୍ଷ ଏବଂ ୨୫ ଲକ୍ଷ କରିବା ଉପରେ ସଂଘ ଗୁରୁତ୍ୱାରୋପ କରିଛି। ଏହା ହେଲେ ଉକ୍ତ ଯୋଜନାକୁ ସମାଜର ଏକ ବିସ୍ତୃତ ବର୍ଗ ନିକଟରେ ପହଞ୍ଚାଇବା ସହଜ ହେବ। ସେହିଭଳି ସମନ୍ବିତ ଟାଉନସିପ ଏବଂ ହାଉସିଂ ସେକ୍ଟରକୁ ଭିତ୍ତିଭୂମି ଷ୍ଟାଟସ, ସ୍ବଳ୍ପ ମୂଲ୍ୟରେ ଅଗ୍ରାଧିକାର ପାଣ୍ଠି ପାଇବା ଦିଗରେ ସହାୟତା କରିବାକୁ ନିବେଦନ କରାଯାଇଛି।

Share