Categories: ବାଣିଜ୍ୟ

ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ଆସିବ ପ୍ୟାକେଜ

ନୂଆଦିଲ୍ଲୀ,୬-୧୧: ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ସରକାର ନୂଆ ପ୍ୟାଜେକ ଘୋଷଣା କରିବେ। ଏହି କ୍ଷେତ୍ର ସାମ୍ନାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ସରକାର ଏବଂ ରିଜର୍ଭ ବ୍ୟାଙ୍କ ମିଳିତ ହୋଇ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ନିର୍ମଳା କହିଛନ୍ତି ଯେ, ଆବଶ୍ୟକତା ଭିତ୍ତିରେ ସରକାର ସର୍ବୋତ୍ତମ ପନ୍ଥା ବାହାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଦରକାର ହେଲେ ସରକାର ବିଭିନ୍ନ ନିୟମକୁ ମଧ୍ୟ ପରିବର୍ତ୍ତନ କରିବେ ବୋଲି ନିର୍ମଳା ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ରିୟଲ ଇଷ୍ଟେଟ କ୍ଷେତ୍ର ଦେଶର କୋର୍‌ ସେକ୍ଟର ଶିଳ୍ପ ସହ ଜଡିତ ଥିବାରୁ ଏକ୍ଷେତ୍ରରେ ଚାହିଦା ବଢିଲେ ଏହା ଶିଳ୍ପ ଉତ୍ପାଦନ ବୃଦ୍ଧି ଦିଗରେ ସହାୟକ ହେବା ପ୍ରସଙ୍ଗକୁ ସରକାର ଉପଲବ୍ଧି କରିଛନ୍ତି। ଏହି କ୍ଷେତ୍ରରେ ଚାହିଦା ବଢାଇବା ଲାଗି ସେପ୍ଟେମ୍ବରରେ କିଛିଟା ପଦକ୍ଷେପ ସରକାର ଘୋଷଣା କରିଥିଲେ। ଆହୁରି ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ନିର୍ମଳା କହିଛନ୍ତି। ଯେଉଁ କ୍ଷେତ୍ରଗୁଡିକ ଲାଗି ସରକାର କିଛି ପଦକ୍ଷେପ ନେଇ ନାହାନ୍ତି ତାକୁ ମଧ୍ୟ ବିଚାର କରାଯିବ। ପୁଞ୍ଜି ନିବେଶ ନେଇ କୌଣସି ଅସୁବିଧା ନ ଥିବା ବେଳେ ନୀତି କ୍ଷେତ୍ରରେ ଅନେକ କାମ କରିବା ବାକି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ବିମୁଦ୍ରୀକରଣ, ରେରା ଏବଂ ଜିଏସ୍‌ଟି ଲାଗୁ ହେବା ଫଳରେ ଦେଶର ରିୟଲ ଇଷ୍ଟେଟ କ୍ଷେତ୍ର ପ୍ରଭାବିତ ହୋଇଛି। ସେହିଭଳି ଏନ୍‌ବିଏଫ୍‌ସି କ୍ଷେତ୍ରର ନଗଦ ଅଭାବ ରିୟଲ ଇଷ୍ଟେଟ କ୍ଷେତ୍ରର ସମସ୍ୟାକୁ ବଢାଇଥିବା ବିଶେଷଜ୍ଞମାନେ କହିଛନ୍ତି।

Share