Categories: ବାଣିଜ୍ୟ

ରିୟଲ ଇଷ୍ଟେଟ ଲାଗି ଆସୁଛି ରେଣ୍ଟାଲ ପଲିସି

ନୂଆଦିଲ୍ଲୀ,୩୦-୫: ରିୟଲ ଇଷ୍ଟେଟ୍‌ ସେକ୍ଟର ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ନୂଆ ରେଣ୍ଟାଲ ପଲିସୀ ଆଣିବାକୁ ଯାଉଛନ୍ତି। ଭଡ଼ା ସୂତ୍ରରେ ଘରୁ ମିଳୁଥିବା ଲାଭ ଉପରେ ୧୦ ବର୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଦେବାକୁ ସରକାର ବିଚାର କରୁଛନ୍ତି। ନିବେଶକୁ ଠିକ୍‌ ରାସ୍ତାରେ ଆଣିବା ତଥା ଅର୍ଥନୀତିକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ଏଭଳି ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଦେଶରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ଏହି ରଣନୀତି ଆପଣାଇବାକୁ ଯାଉଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ନିକଟରେ ରିୟଲ ଇଷ୍ଟେଟ କମ୍ପାନୀଗୁଡ଼ିକ ସହ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଥିଲା। ରିୟଲ ଇଷ୍ଟେଟ ସେକ୍ଟରରେ ଦେଖାଦେଇଥିବା ଆହ୍ବାନରୁ ମୁକ୍ତି ପାଇବାର ଉପାୟ ଜଣାଇବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କୁ ଘରଭଡ଼ା ବ୍ୟବସାୟ ମଡେଲ ଉପରେ ନୋଟ୍‌ ଦେବାକୁ କୁହାଯାଇଛି। ଏଥିରେ ବ୍ୟୟକୁ ଛାଡ ରୂପରେ ଦାବି କରିବାକୁ ଅନୁମତି ଦିଆଯିବ। ସେହିପରି ଲାଭ ଉପରେ ୧୦ ବର୍ଷ ପର୍ଯ୍ୟନ୍ତ ଟିକସ ଛାଡ ଦିଆଯିବ ବୋଲି କୁହାଯାଇଛି। ଉଲ୍ଲେଖ କରାଯାଇପାରେ ଯେ ଗତ କିଛି ବର୍ଷ ହେଲା ଦେଶରେ ନିବେଶ କାର୍‌ବାର ଜିଡିିପିର ୩୬ ପ୍ରତିଶତରୁ ହ୍ରାସ ପାଇ ୨୯ ପ୍ରତିଶତରେ ପହଞ୍ଚତ୍ୟାଇଛି। ରିୟଲ ଇଷ୍ଟେଟ କ୍ଷେତ୍ର ଧୀମା ପଡିଯିବା ଏହାର ମୁଖ୍ୟ କାରଣ ବୋଲି ଅର୍ଥ ମନ୍ତ୍ରଣାଳୟ ଦର୍ଶାଇଛି। ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୯-୨୦ ଲାଗି ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉଦ୍ୟୋଗଜଗତ ସହ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ଭେଟଘାଟ ଚାଲିଛି। ଜୁଲାଇରେ ବଜେଟ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ରିୟଲ ଇଷ୍ଟେଟ କ୍ଷେତ୍ରରେ ଚାହିଦା ବୃଦ୍ଧି ଲାଗି ଜିଏସ୍‌ଟି କାଉନସିଲ୍‌ ଇତିମଧ୍ୟରେ ନୂଆ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ବିନା ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟରେ ଜିଏସ୍‌ଟି ହାରକୁ ୧ ପ୍ରତିଶତ ତଥା ଅନ୍ୟ ପାଇଁ ୫%କୁ ହ୍ରାସ କରିଛନ୍ତି। ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ସହିତ ଏହା ଯଥାକ୍ରମେ ୮ଓ ୧୨ % ଟିକସ ରଖାଯାଇଛି। ନୂଆ ନିର୍ମାଣ କ୍ଷେତ୍ରରେ ବିଲ୍ଡର ନୂଆ ଅଥବା ପୁରୁଣା ଟିକସ ହାର ବାଛିପାରିବେ।

Share