Categories: ଖେଳ

ରିୟଲ- କଶ୍ମୀର ଖେଳାଳି ପରିବାରକୁ ନେଇ ଚିନ୍ତିତ

କଲ୍ୟାଣୀ(ପଶ୍ଚିମବଙ୍ଗ),୬।୮(ପି.ଟି.)- ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କାଶ୍ମୀରରେ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ଫୁଟବଲ କ୍ଲବ ରିୟଲ କଶ୍ମୀରର ଖେଳାଳିମାନେ ଚିନ୍ତିତ ରହିଛନ୍ତି। ଖାସ୍‌ କରି ନିଜ ପରିବାର ନେଇ ଏମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହା ସତ୍ତ୍ୱେ ଖେଳାଳିମାନେ ଡୁରାଣ୍ଡ କପ୍‌ ନେଇ ଏଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭ୍ୟାସ ଜାରି ରଖିଛନ୍ତି। ରିୟଲ କଶ୍ମୀର ତା’ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସିଟିକୁ ଭେଟିବ।
ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଟେଲିଫୋନ ନେଟଓ୍ବର୍କ ସହ ସାରା ରାଜ୍ୟରେ ଇଣ୍ଟରନେଟ୍‌ ସେବା ଅଚଳ କରିବା ସହ ୧୪୪ଧାରା ଜାରି କରିଛନ୍ତି। ସୋମବାର ରିୟଲ କଶ୍ମୀରର ଖେଳାଳିମାନେ ୩ଟି ପର୍ଯ୍ୟାୟରେ ଏଠାରେ ଆସି ପହଞ୍ଚିଥିଲେ। ପହଞ୍ଚିବା ପରେ ଖେଳାଳିମାନେ ସେମାନଙ୍କ ପରିବାର ସହ ସମ୍ପର୍କ ସ୍ଥାପନ କରିପାରି ନ ଥିଲେ। ଘର ଛାଡିବା ପରେ ପରିବାର ସଦସ୍ୟଙ୍କ ସହ କଥା ହୋଇନାହିଁ। ଯୋଗାଯୋଗ ନ ଥିତ୍ବାରୁ ପରିବାର ନେଇ ମୁଁ ଚିନ୍ତିତ ଅଛି ବୋଲି କ୍ଳବର ତାରକା ଖେଳାଳି ଡାନିଶ ଫାରୁକ୍‌ କହିଛନ୍ତି। ତେବେ ପେସାଦାର ଫୁଟବଲର ହୋଇଥିବାରୁ ମ୍ୟାଚ୍‌ ପାଇଁ ଫିଟ୍‌ ରହିବା ସହ ଅଭ୍ୟାସ କରିବା ନେଇ ଆମେ ପ୍ରସ୍ତୁତି ଚଳାଇଛୁ। ଏହି ପରିସ୍ଥିତି ଅବଶ୍ୟ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ନାହିଁ। ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଆମେ ପ୍ରସ୍ତୁତିରେ କୌଣସି ହେଳା କରୁନାହୁଁ ବୋଲି ଫାରୁକ କହିଛନ୍ତି। ଦଳରେ ସ୍ଥାନ ପାଇଥିବା ଏକମାତ୍ର ବେଙ୍ଗଲି ଖେଳାଳି ରିତ୍ତ୍ୱିକ ଦାସ ସାଥୀ ଖେଳାଳିଙ୍କ ମାନସିକ ସ୍ଥିତି ନେଇ ବ୍ୟସ୍ତ ଥିବା କଥା କହିଛନ୍ତି। ରିୟଲ କଶ୍ମୀର ଏଥର ଅଳ୍ପକେ ଆଇ- ଲିଗ୍‌ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା।

Share