Categories: ଫୁରସତ

ରିୟଲ ଲାଇଫ୍‌ ସ୍ପାଇଡର ମ୍ୟାନ

ଇଣ୍ଡୋନେସିଆରେ ଏବେ ଚର୍ଚ୍ଚାରେ ରହିଛନ୍ତି ରିୟଲ ଲାଇଫ୍‌ ସ୍ପାଇଡର ମ୍ୟାନ। ତାଙ୍କ ନାଁ ହେଉଛି ରୁଡି ହାର୍ଟୋନୋ। ଏହି ବ୍ୟକ୍ତି ଜଣକ ସଡ଼କ ଓ ସମୁଦ୍ର କୂଳରେ ଜମା ହୋଇଥିବା ଆବର୍ଜନା ସଫା କରିବା କାମରେ ଲାଗି ପଡିଛନ୍ତି। ଏହାର କାରଣ ହେଉଛି ଚାଇନା ପରେ ଇଣ୍ଡୋନେସିଆ ପ୍ଲାଷ୍ଟିକ ଦ୍ୱାରା ପ୍ରଦୂଷଣ ହେଉଥିବା ଦେଶ ଭାବେ ୪ ନମ୍ବର ସ୍ଥାନରେ ରହିଛିି। ତେଣୁ ପ୍ଲାଷ୍ଟିକରୁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ରୁଡି ଏମିତି ଏକ ଅଭିଯାନ ଆରମ୍ଭ କରିଥିବା କୁହନ୍ତି। ପ୍ରଥମେ ପ୍ରଥମେ ସେ ସାଦା ପୋଷାକରେ ଏହି କାମ କରୁଥିଲେ। ହେଲେ ଏହା ଜନତାଙ୍କ ଦୃଷ୍ଟି ଆକର୍ଷଣ କରିପାରି ନ ଥିଲା। ତେଣୁ ସେ ସ୍ପାଇଡର ମ୍ୟାନ ପୋଷାକରେ ଏହି କାମ ଆରମ୍ଭ କରିଥିବା କୁହନ୍ତି। ୩୬ ବର୍ଷୀୟ ରୁଡି କୁହନ୍ତି ସେ ସକାଳ ୭ଟାରୁ ଏହି କାମ ଆରମ୍ଭ କରନ୍ତି। ଆଉ ସ୍ପାଇଡର ମ୍ୟାନ ପୋଷକରେ କାମ ଆରମ୍ଭ କରିବା ପରଠାରୁ ସେ ସାଧାରଣ ଜନତାଙ୍କ ନଜରକୁ ଆସିବା ସହ ତାଙ୍କର ଏହି କାମ ରାଷ୍ଟ୍ରୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। ଏହାକୁ ନେଇ ସ୍ବାସ୍ଥ୍ୟ ସମ୍ପର୍କିତ ଆଲୋଚନା ମଧ୍ୟ ହେଲାଣି।

ରୁଡିଙ୍କ ଏଭଳି କାର୍ଯ୍ୟକୁ ନେଇ ଖବରକାଗଜରେ ଖବର ପ୍ରକାଶ ପାଇବା ସହ ଚାଟ୍‌ ଶୋ’ ମାଧ୍ୟମରେ ସେ ପ୍ଲାଷ୍ଟିକ ମୁକ୍ତ ବିଶ୍ୱ ପାଇଁ ବାର୍ତ୍ତା ଦେଇଛନ୍ତି। ସେ କୁହନ୍ତି ଭଣଜାକୁ ଖୁସି କରିବାକୁ ସେ ସ୍ପାଇଡର ମ୍ୟାନ ଡ୍ରେସ୍‌ କିଣିଥିଲେ। ହେଲେ ପରେ ଏହା ପ୍ଲାଷ୍ଟିକ ମୁକ୍ତ ଅଭିଯାନର ଅଂଶ ପାଲଟି ଗଲା। ସୂଚନାଯୋଗ୍ୟ, ୨୪ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଇଣ୍ଡୋନେସିଆରେ ପ୍ରତିଦିନ ପ୍ରାୟ ୨.୭ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକ ବାହାରିଥାଏ। ପାଖାପାଖି ୧୭ ହଜାର ଦ୍ୱୀପ ଥିବା ଇଣ୍ଡୋନେସିଆ ପ୍ଲାଷ୍ଟିକ ଜନିତ ପ୍ରଦୂଷଣରେ ବହୁ ଆଗରେ ଥିବା କୁହାଯାଏ। ରୁଡି କୁହନ୍ତି ତାଙ୍କର ଏହି ଅଭିଯାନ ଦ୍ୱାରା ସରକାର ଏଭଳି କୌଣସି କଠୋର ଆଇନ ଆଣନ୍ତେ ଯାହାଦ୍ୱାରା ଲୋକେ ସଚେତନ ହୁଅନ୍ତେ।

Share