Categories: ଜାତୀୟ

ରିୟାଜ୍‌ ନାଇକୁଙ୍କ ମୃତ୍ୟୁ ପରେ ଜମ୍ମୁ-କଶ୍ମୀର ହିଜବୁଲ୍‌ ଡୋର ଘାଜି ହାଇଦରଙ୍କ ହାତରେ

ଶ୍ରୀନଗର,୧୧।୫: ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ଜମ୍ମୁ-କଶ୍ମୀର କମାଣ୍ଡର ରିୟାଜ୍‌ ନାଇକୁଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିବା ପରେ ଏବେ ଏହି ପଦବୀରେ ୨୬ ବର୍ଷ ବୟସ୍କ ସଇଫୁଲା ମୀର୍‌ ଆକା ଘାଜି ହାଇଦର୍‌ଙ୍କୁ ନିଯୁକ୍ତ କରାଯାଇଛି। ଏବେ ସେ ଜମ୍ମୁ-କଶ୍ମୀରରେ ହିଜବୁଲ୍‌ର ଡୋର ଧରିବେ। ଏସମ୍ପର୍କରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ମୁଜାଫରବାଦ୍‌ଠାରେ ଥିବା ସଂଗଠନର ମୁଖ୍ୟାଳୟର ପ୍ରବକ୍ତା ସଲିମ୍‌ ହାସ୍‌ମୀ ଘୋଷଣା କରିଛନ୍ତି। ସଇଫୁଲା ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲା ମାଲାଙ୍ଗପୋରାର ବାସିନ୍ଦା। ସେ ଦ୍ୱାଦଶ ଶ୍ରେଣୀ ପାସ୍‌ ହେବା ପରେ ପାଠପଢ଼ାରେ ଡୋର ବାନ୍ଧିଛନ୍ତି। ଆହତ ଆତଙ୍କବାଦୀଙ୍କୁ ସଇଫୁଲା ଚିକିତ୍ସା କରୁଥିବାରୁ ତାଙ୍କୁ ସଂଗଠନରେ ସଭିଏଁ ଡାକ୍ତର ସଇଫୁ ଡାକିଥାନ୍ତି ବୋଲି ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି। ସଇଫୁଲାଙ୍କ ନେତୃତ୍ୱରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share