ରୁଗ୍ଣ ହାତୀକୁ ଚଲାଇ ମାରିଦେଲେ

କଲମ୍ବୋ, ୧୭ା୮: ହାଡ଼ କଙ୍କାଳ ଦେଖାଯାଉଥିବା ଏକ ୭୦ ବର୍ଷୀୟ ରୁଗ୍ଣ ହାତୀକୁ ଶ୍ରୀଲଙ୍କାରେ ଚଲାଇ ଚଲାଇ ମାରିଦେଇଥିବା ଜଣାପଡ଼ିଛି। ଏକ ବଡ ବୌଦ୍ଧ ମହୋତ୍ସବରେ ହାତୀଟିକୁ ପରେଡ୍‌ କରିବା ଲାଗି ନିଆଯାଇଥିଲା। ଅସୁସ୍ଥତା ସତ୍ତ୍ୱେ ଦେହସାରା ପୋଷାକ ପିନ୍ଧାଯାଇ ହାତୀଟିକୁ ଜୋର୍‌ ଜବରଦସ୍ତ ମହୋତ୍ସବରେ ପରେଡ୍‌ କରାଯିବାକୁ ସାଧାରଣରେ ସମାଲୋଚନା କରାଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଥିବାବେଳେ ପଶୁପ୍ରେମୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଳମ୍ବରେ ହେଉପଛେ ଆୟୋଜକମାନେ ବୁଧବାର ବୟସାଧିକ ହାତୀକୁ ଏଥିରୁ ବାଦ୍‌ ଦେଇଥିଲେ। ଗୁରୁବାର ହାତୀଟି ଅଧିକ ଅସୁସ୍ଥ ହୋଇ ପ୍ରାଣ ହରାଇଥିଲା। ବିଭାଗୀୟ ମନ୍ତ୍ରୀ ଜନ ଅମରାତୁଙ୍ଗା ଏସମ୍ପର୍କରେ କହିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି। ବନ୍ୟଜନ୍ତୁ ଅଧିକାରୀ ଏହାର ତଦନ୍ତ କରି ଏଥିଲାଗି କିଏ ଦାୟୀ, ତାହା ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

Share