Categories: ମେଟ୍ରୋ

ରୁଚିକା ମାର୍କେଟ ଦୁର୍ଗାପୂଜା କମିଟି: ବଣ୍ଟାହେବ ୧୦ ହଜାର ଔଷଧୀୟ ଚାରା

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ସବୁଜିମାଭରା ସ୍ମାଟସିଟି ଭୁବନେଶ୍ୱରକୁ ଶ୍ରୀହୀନ କରି ଦେଇଥିଲା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’। ଏହି ସ୍ମାର୍ଟସିଟିକୁ ପୁନର୍ବାର ସବୁଜ ସୁନ୍ଦର କରିବା ପାଇଁ ଏବେ ବହୁ ପରିମାଣର ଚାରା ରୋପଣ କରା ଯାଉଛି। ଚଳିତବର୍ଷ ୨୯ତମ ବର୍ଷରେ ପଦାର୍ପଣ କରୁଥିବା ରୁଚିକା ମାର୍କେଟ ଦୁର୍ଗାପୂଜା କମିଟି ଏଥର ନିଆରା ଢଙ୍ଗରେ ପୂଜା ପାଳିବାକୁ ନିଷ୍ପତ୍ତି ନେଇଛି। ସବୁଜିମା ସୃଷ୍ଟି ସହ ସଚେତନତା ଉଦ୍ଦେଶ୍ୟରେ ପୂଜାର ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ୧୦ହଜାରରୁ ଊର୍ଦ୍ଧ୍ୱ ଔଷଧୀୟ ଚାରା ବଣ୍ଟନ କରିବ ଏହି ପୂଜା କମିଟି। ସୂଚନା ଅନୁଯାୟୀ, ମା’ଙ୍କ ପୂଜା ଆରମ୍ଭ ପୂର୍ବରୁ ସ୍ଥାନୀୟ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ୧୧ଜଣ ମହିଳା ବିନ୍ଦୁସାଗରରୁ କଳସରେ ଜଳ ଆଣିବେ। ପରେ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା, ମା’ଙ୍କ ଘଟ ସ୍ଥାପନ, ସପ୍ତମୀରେ ଚକ୍ଷୁଦାନ, ଅଷ୍ଟମୀରେ ଅନ୍ନପ୍ରସାଦ, ନବମୀରେ ଶାଗ, ଦହିପଖାଳ କାର୍ଯ୍ୟକ୍ରମ ଏବଂ ଦଶମୀରେ ୫ହଜାର ଭକ୍ତଙ୍କୁ ଅନ୍ନଦାନ କରାଯିବ। ଏଥର ମା’ଙ୍କ ମୃଣୟ ମୂର୍ତ୍ତି ୧୮ଫୁଟ ଓ ତୋରଣ ୪୦ଫୁଟ ଉଚ୍ଚତା ହେବ। ୨କେଜି ସୁନାରେ ମା’ ଝଟକିବେ। ଏଥିପାଇଁ ସୁନାରେ ରାଣୀହାର କାନଫୁଲ, ନାକଚଣା ତିଆରି କରାଯାଇଛି। ସେହିପରି ପୂଜା ପାଇଁ କାହାଠାରୁ ଚାନ୍ଦା ଆଦାୟ କରାଯାଏ ନାହିଁ। ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ, କଲୋନୀ ବାସିନ୍ଦା ଏବଂ ଶୁଭେଚ୍ଛୁମାନେ ସ୍ବଇଚ୍ଛାରେ କିଛି ଅର୍ଥ ପ୍ରଦାନ କରିଥାନ୍ତି। ସେଥିରେ ହିଁ ମା’ଙ୍କ ପୂଜା ପାଳନ କରାଯାଏ ବୋଲି କମିଟି ପକ୍ଷରୁ କୁହାଯାଇଛି।

Share