ରୁଦ୍ରପ୍ରସନ୍ନ, ଅଖଣ୍ଡଙ୍କୁ ଲାଡ୍‌ଲି ମିଡିଆ ଆୱାର୍ଡ

ଭୁବନେଶ୍ୱର/ପିପିଲି,୨୪।୧୧(ବ୍ୟୁରୋ/ଡି.ଏନ୍‌.ଏ.): ସ୍ତମ୍ଭକାର ତଥା ଯୁବ ସାମାଜିକ କର୍ମୀ ରୁଦ୍ରପ୍ରସନ୍ନ ରଥଙ୍କୁ ଚଳିତବର୍ଷର ଲାଡ୍‌ଲୀ ମିଡିଆ ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି। ୨୦୧୯ ଡିସେମ୍ବରରେ ‘ଧରିତ୍ରୀ’ରେ ପ୍ରକାଶିତ ସଂପାଦକୀୟ ‘ଝିଅ ଯଦି କାଳୀ’ ଲେଖାକୁ ଓପ-ଏଡ୍‌ ବିଭାଗରେ ଶ୍ରେଷ୍ଠ ବିବେଚିତ କରାଯାଇ ଏହି ପୁରସ୍କାର ଦିଅଯାଇଛି। ରୁଦ୍ର ପ୍ରସନ୍ନ ରଥ ଏବେ ବିଭିନ୍ନ ଜାତୀୟ ଏବଂ ଅର୍ନ୍ତଜାତୀୟ ସଂସ୍ଥାର ଯୋଗାଯୋଗ ଅଧିକାରୀଭାବେ କାର୍ଯ୍ୟ କରନ୍ତି। ପପୁଲେଶନ ଫାଉଣ୍ଡେସନ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନଏଫପିଏ) ତରଫରୁ ଏହି ସାମାଜିକ ଲିଙ୍ଗଗତ ସମତାଥିବା ଲେଖକ, ସମ୍ବକାର, ସାମାଜିକ କର୍ମୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସେହିଭଳି ମହିଳା ସଶକ୍ତୀକରଣ ଉପରେ ଖବର ପ୍ରକାଶ ପାଇଁ ସାମ୍ବାଦିକ ଅଖଣ୍ଡଙ୍କୁ ଲାଡ୍‌ଲି ମିଡିଆ ଆୱାର୍ଡ ମିଳିଛି। ଓଡ଼ିଶାରେ ମହିଳାମାନେ କିଭଳି ଅଜଣା ମୃତଦେହ ଦାହ କରିବାକୁ ଆଗେଇ ଆସିଛନ୍ତି, ତାହାକୁ ନେଇ ଅଖଣ୍ଡ ଏକ ଓ୍ବେବ ପୋର୍ଟାଲରେ ଲେଖା ପ୍ରକାଶ କରିଥିଲେ। ଏହି ଲେଖାକୁ ଜୁରି କମିଟି ପ୍ରଶଂସା କରିବା ସହ ପୁରସ୍କାର ପାଇଁ ମନୋନୀତ କରିଥିଲେ। ଚଳିତବର୍ଷ ୨୮ଟି ଭାଷା ପାଇଁ ୯୨ ଜଣଙ୍କୁ ଏହି ପୁରସ୍କାର ମିଳିଥିବାବେଳେ ଏଥିପାଇଁ ୧୧୦୦ରୁ ଅଧିକ ଆବେଦନପତ୍ର ମିଳିଥିଲା। କରୋନା ମହାମାରୀ ଯୋଗୁ ଚଳିତବର୍ଷ ଏହି ପୁରସ୍କାର ଗତ ୨୦ତାରିଖରେ ଅନଲାଇନ୍‌ରେ ଦିଆଯାଇଥିଲା।

Share