ରୁମ୍‌ରେ ଯେଉଁ ମଡେଲଙ୍କ ଲଗାଉଥିଲେ ପୋଷ୍ଟର, ତାଙ୍କୁ କଲେ ବିବାହ: ୨୧ବର୍ଷ ପରେ ହେଲା ବିଚ୍ଛେଦ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ମଙ୍ଗଳବାର ନିଜର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁର ସହରରେ ସେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଜଣେ ମଡେଲ ଭାବେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମରେ ଆସିବା ପାଇଁ ସେ ବହୁ ସଂଘର୍ଷ କରିଛନ୍ତି। ହେଲେ ଧିରେ ଧିରେ ସେ ବଲିଉଡ୍‌ରେ ନିଜର ସ୍ଥାନ ତିଆରି କରିପାରିଥିଲେ। ୨୦୦୧ରେ ଫିଲ୍ମ ‘ ପ୍ୟାର, ଇସ୍କ ଓ ମୋହବତ୍‌ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପାଇଁ ୨୦୦୨ରେ ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମି ପକ୍ଷରୁ ତାଙ୍କୁ ‘ଫେସ୍‌ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅବଶ୍ୟ ମୁଖ୍ୟ ଚରିତ୍ରରେ ତାଙ୍କୁ ଯେତିକି ସଫଳତା ମିଳିନାହିଁ, ସହ କଳାକାର ଭାବେ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରାଯାଇଛି। ସବୁବେଳେ ଚର୍ଚ୍ଚାରେ ରହୁଥିବା ଅର୍ଜୁନ ବର୍ତ୍ତମାନ ନିଜ ପର୍ସନାଲ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ୧୯୯୮ରେ ଅର୍ଜୁନ ମିସ୍‌ ଇଣ୍ଡିଆ ଓ ସୁପର ମଡେଲ ମେହର ଜୋସିଆଙ୍କୁ ବିବାହ କରିଥିଲେ। କୁହାଯାଏ, ଯେଉଁ ସମୟରେ ଅର୍ଜୁନ ମଡେଲିଂରେ ସଂଘର୍ଷ କରୁଥିଲେ, ସେତେବେଳେ ମେହର ସଫଳତା ପାଇ ସାରିଥିଲେ। ବିବାହ ପୂର୍ବରୁ ଅର୍ଜୁନ ନିଜ ରୁମ୍‌ରେ ମେହରଙ୍କ ଫଟୋ ଲଗାଇବା ସହ ତାଙ୍କୁ ବିବାହ କରିବାକୁ ଇଛା ପ୍ରକାଶ କରିଥିଲେ। କିଛି ଦିନ ପରେ ତାଙ୍କର ଏହି ଇଛା ପୂରଣ ମଧ୍ୟ ହୋଇଥିଲା। ହେଲେ ଅର୍ଜୁନ ଓ ମେହରଙ୍କ ବିବାହ ବେଶି ଦିନ ତିଷ୍ଠି ନ ଥିଲା। ୨୧ ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ୨୦୧୯ ଏପ୍ରିଲ ୩୦ରେ ବିଚ୍ଛେଦ ପାଇଁ ଦୁହେଁ କୋର୍ଟରେ ଆବେଦନ କରିଥିବା ବେଳେ ୬ମାସ ପରେ ନିଜ ସହମତିରେ ଔପଚାରିକ ଭାବେ ଅଲଗା ହୋଇଯାଇଥିଲେ। ଅର୍ଜୁନଙ୍କ ୨ ଝିଅ ବର୍ତ୍ତମାନ ମା’ ମେହରଙ୍କ ସାଙ୍ଗେ ରହୁଥିବା ଜଣାପଡ଼ିଛି। ଏହି ସମ୍ପର୍କ ଭାଙ୍ଗିବା ପରେ ଅର୍ଜୁନ ନିଜ ଜୀବନରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିସାରିଛନ୍ତି। ଅର୍ଥାତ ଅର୍ଜୁନ ନିଜ ଗର୍ଲଫ୍ରେଣ୍ଡ ଗେବ୍ରିଏଲାଙ୍କ ସହ ବିବାହ କରିସାରିଛନ୍ତି। ବିଧିବଦ୍ଧ ଭାବେ ଏହାକୁ ଘୋଷଣା କରାଯାଇ ନ ଥିଲେ ମଧ୍ୟ ନିକଟରେ ଗେବ୍ରିଏଲା ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି। ପ୍ରାୟ ସମୟରେ ପୁଅ ଆରିକଙ୍କ ସହ ଅର୍ଜୁନ ସମୟ ବିତାଉଥିବା ଦେଖିବାକୁ ମିଳିଥାଏ। ୨୦୦୯ରେ ଆଇପିଏଲ୍‌ର ଏକ ପାର୍ଟିରୁ ଅର୍ଜୁନ ଓ ଗେବ୍ରିଏଲାଙ୍କ ଲଭ୍‌ ଷ୍ଟୋରି ଆରମ୍ଭ ହୋଇଥିଲା। କିଛି ବର୍ଷ ପରେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ ବୋଲି ଜଣାପଡ଼ିଛି।

Share