Categories: ଖେଳ

ରୁଷିଆକୁ ଅର୍ଥ ଦଣ୍ଡ ଦେଲା ବିଶ୍ୱ ଆଥ୍‌ଲେଟିକ୍ସ

ମୋନାକୋ,୧୩।୩(ଏଏଫ୍‌ପି)- ବିଶ୍ୱ ଆଥ୍‌ଲେଟିକ୍ସ ଗୁରୁବାର ରୁଷିଆ ଟ୍ରାକ୍‌ ଓ ଫିଲ୍ଡ ଫେଡେରେଶନକୁ ଡୋପ ନିୟମ ଭଙ୍ଗ କରିବା ଲାଗି ୧୦ ମିଲିୟନ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛି। ଭାରତୀୟ ମୁଦ୍ରାରେ ୭୪.୪୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ଏଥିସହ ଟୋକିଓ ଅଲିମ୍ପିକ୍ସରେ କେବଳ ୧୦ ଜଣ ରୁଷିଆନ ଆଥ୍‌ଲେଟ ଭାଗ ନେଇପାରିବେ ବୋଲି ଘୋଷଣା କରିଛି। ନିୟମ ଅନୁସାରେ, ରୁଷିଆନ ଆଥ୍‌ଲେଟ ନିରପେକ୍ଷ ଭାବେ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିପାରିବେ ବୋଲି ବିଶ୍ୱ ଆଥଲେଟିକ୍ସ ସଭାପତି ସେବେଷ୍ଟିଆନ କୋ କହିଛନ୍ତି। ଅର୍ଥଦଣ୍ଡର ୫୦ ପ୍ରତିଶତ ଆସନ୍ତା ଜୁଲାଇ ୧ ତାରିଖ ସୁଦ୍ଧା ପୈଠ ନ କଲେ ବାସନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଯଦି ଏହି ସମୟ ମଧ୍ୟରେ ରୁଷିଆନ ଫେଡେରେଶନ (ରୁସାଫ) ପୁଣି ଡୋପ ନିୟମ ଭଙ୍ଗ କରେ କିମ୍ବା ଫେଡେରେଶନର କାର୍ଯ୍ୟ ସନ୍ତୋଷଜନକ ନ ହୁଏ, ତେବେ ଦୁଇ ବର୍ଷ ପାଇଁ ବାସନ୍ଦ କରାଯିବ। ବିଶ୍ୱ ଆଥ୍‌ଲେଟିକ୍ସ ତଦନ୍ତକୁ ଅବରୋଧ କରିବାରୁ ଗତବର୍ଷ ରୁସାଫକୁ ଅକ୍ଷମ କରାଯାଇଥିଲା। ସେହି ସମୟରେ ଦେଶର ଆଥ୍‌ଲେଟଙ୍କୁ ନିରପେକ୍ଷ ଭାବେ ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଅଧିକାର ଦିଆଯାଇଥିଲା।