Categories: ଖେଳ

ରୁଷିଆକୁ ୪ ବର୍ଷ ବାସନ୍ଦ କଲା ଓ୍ବାଡା

ଲାଉସାନେ, ୯ା୧୨ (ଏପି)-ଆସନ୍ତା ବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ ରୁଷିଆ ପତାକା ଉଡ଼ିବ ନାହିଁ କିମ୍ବା ଏହାର ଜାତୀୟ ସଙ୍ଗୀତ ଗାନ ହେବ ନାହିଁ। କେବଳ ସେତିକି ନୁହେଁ ସୋମବାରଠାରୁ ୪ ବର୍ଷ ପର୍ଯ୍ୟନ୍ତ ଅନ୍ୟ ପ୍ରମୁଖ କ୍ରୀଡ଼ା ଇଭେଣ୍ଟରୁ ରୁଷିଆକୁ ବାସନ୍ଦ କରାଯାଇଛି। ମସ୍କୋ ଲାବେରେଟୋରି ଡାଟାବେସ୍‌ ଟ୍ୟାମ୍ପରିଂ ଅଭିଯୋଗରେ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ତରଫରୁୁ ଏହି ଦଣ୍ଡ ବିଧାନ କରାଯାଇଛି। ସୋମବାର ଏଠାରେ ଓ୍ବାଡା କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।
ରୁଷିଆର ଯେଉଁ ଆଥଲେଟ୍‌ ଡୋପ୍‌ ଟେଷ୍ଟରେ ଧରାପଡ଼ି ନ ଥିବେ ଏବଂ ସେମାନଙ୍କ ଡାଟା ଜାଲିଆତି କରାଯାଇ ନ ଥିବ ସେମାନଙ୍କୁ ହୁଏତ ପ୍ରମୁଖ ଇଭେଣ୍ଟଗୁଡ଼ିକରେ ଭାଗ ନେବାଲାଗି ଅନୁମତି ମିଳିପାରେ ବୋଲି ଓ୍ବାଡା ରୁଲିଂରେ କୁହାଯାଇଛି। କିନ୍ତୁ ବିଶ୍ୱ ଚାମ୍ପିୟନଶିପ୍‌ ଏପରିକି ଫୁଟ୍‌ବଲ ବିଶ୍ୱକପ୍‌ରେ ରୁଷିଆର ଦଳର ଅଂଶଗ୍ରହଣ ଏହାଦ୍ୱାରା ପ୍ରଭାବିତ ହେବ କି ନା ତାହା ଏବେବି ସୁଦ୍ଧା ଅସ୍ପଷ୍ଟ। ରୁଷିଆର ଆଣ୍ଟି ଡୋପିଂ ଏଜେନ୍ସି ଓ୍ବାଡାର ଏହି ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ (କାସ୍‌)ରେ ୨୧ ଦିନ ମଧ୍ୟରେ ଆବେଦନ କରିପାରିବ।

Share