Advertisement

ରୁଷିଆରେ ଭୟଙ୍କର ସ୍ଥିତି

ଓ୍ବାଶିଂଟନ/ ମସ୍କୋ/ ଲଣ୍ଡନ, ୧୩ା୫: ପ୍ରାଣଘାତୀ କରୋନା ଭୂତାଣୁ ବିଶ୍ୱକୁ ଆତଙ୍କିତ କରି ରଖିଛି। ଏହି ମହାମାରୀ ଯୋଗୁ ବିଶ୍ୱରେ ୪୨.୯୭ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୨.୮୯ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ମଙ୍ଗଳବାର ୪୫ ହଜାର ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨ ହଜାରରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ରୁଷିଆରେ ସଂକ୍ରମଣର ଉଗ୍ର ସ୍ଥିତି। ଗୋଟିଏ ଦିନରେ ଏଠାରେ ୧୦ ହଜାରରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। ଗତ ୨ ଦିନ ହେବ ଦିନକରେ ୧୧ ହଜାର ଲୋକ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏବେ ରୁଷିଆ ସର୍ବାଧିକ ଆକ୍ରାନ୍ତ ତାଲିକାର ତୃତୀୟ ସ୍ଥାନରେ ଥିବା ବ୍ରିଟେନକୁ ଟପିଛି। ଏବେ ରୁଷିଆରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାରରୁ ଅଧିକ ଥିବା ଜଣାପଡ଼ିଛି। ମାତ୍ର ୨,୧୧୬ ବ୍ୟକ୍ତି ଏହି ଦେଶରେ ପ୍ରାଣ ହରାଇଥିଲେ ହେଁ କରୋନା ଆକ୍ରାନ୍ତଙ୍କ ତାଲିକା ଭୟଙ୍କର ଭାବେ ବଢ଼ିଚାଲିଛି। ଆମେରିକା, ସ୍ପେନ୍‌ ପରେ ରୁଷିଆରେ ସର୍ବାଧିକ କରୋନା ରୋଗୀ ଅଛନ୍ତି। ଫଳରେ ଏହାକୁ ନେଇ ଲୋକମାନେ ସେଠାରେ ଆତଙ୍କିତ ହୋଇପଡ଼ିଛନ୍ତି।
ଆମେରିକାରେ ଅଦ୍ୟାବଧି ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୩.୯୧ ଲକ୍ଷ ଥିବାବେଳେ ୮୨,୦୯୬ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଦ୍ୱିତୀୟରେ ରହିଥିବା ସ୍ପେନ୍‌ର ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଏଠାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨.୬୯ ଲକ୍ଷରୁ ଅଧିକ ଥିବାବେଳେ ୨୬,୯୨୦ ଲୋକ ପ୍ରାଣ ହରାଇଲେଣି। ଚତୁର୍ଥ ସର୍ବାଧିକ ସଂକ୍ରମଣକାରୀ ଥିବା ବ୍ରିଟେନରେ ୩୨,୬୯୨ ବ୍ୟକ୍ତିଙ୍କ ଜୀବନ ଗଲାଣି। ଏଠାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨.୨୬ ଲକ୍ଷରୁ ଊର୍ଦ୍ଧ୍ୱ ରହିଛି। ଫ୍ରାନ୍ସ, ଜର୍ମାନୀ, ବ୍ରାଜିଲ, ତୁର୍କୀ, ଇରାନରେ ଲକ୍ଷାଧିକ କରୋନା ରୋଗୀ ଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। ଫ୍ରାନ୍ସରେ ୨୬,୬୪୩, ଜର୍ମାନୀରେ ୭,୬୪୭, ବ୍ରାଜିଲରେ ୧୧,୭୦୧, ତୁର୍କୀରେ ୩,୮୪୧, ଇରାନରେ ୬,୭୩୩, ଚାଇନାରେ ୪,୬୩୩, ଭାରତରେ ୨,୩୫୫, ବେଲଜିୟମରେ ୮, ୭୬୧, ନେଦରଲାଣ୍ଡ୍ସରେ ୫,୫୧୦, ମେକ୍ସିକୋରେ ୩,୫୭୩, ସ୍ବିଡେନରେ ୩,୩୧୩ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। କ୍ରମଶଃ ସ୍ଥିତି ଉଗ୍ରରୂପ ଧାରଣ କରୁଥିବା ବେଳେ ମହାମାରୀରୁ ମୁକୁଳିବାର ବାଟ ଦେଖାଯାଉନାହିଁ। ସମସ୍ତେ ଆତଙ୍କ ଭିତରେ ରହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share