Categories: ଜାତୀୟ

ରୁଷିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪ା୯(ପି.ଟି.): ଭ୍ଲାଡିଭୋଷ୍ଟକରେ ବୁଧବାରଠାରୁ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍‌ (ଇଇଏଫ୍‌)ରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆ ଗସ୍ତ କରିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ବିଭିନ୍ନ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ସେଥିରେ ବିଭିନ୍ନତା ଆଣିବା ଦୁଇଦେଶର ଲକ୍ଷ୍ୟ ବୋଲି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀଠାରେ କହିଛନ୍ତି। ରୁଷିଆର ପୂର୍ବ ସୀମାନ୍ତ ଅଞ୍ଚଳ ଗସ୍ତ କରିବାରେ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ।
ପୁଟିନଙ୍କ ନିମନ୍ତ୍ରଣକ୍ରମେ ମୋଦି ୫ମ ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ବ୍ୟତୀତ ସେ ରୁଷିଆ ରାଷ୍ଟ୍ରପତିଙ୍କ ସହ ୨୦ତମ ଭାରତ-ରୁଷିଆ ବାର୍ଷିକ ସମିଟ୍‌ରେ ଭାଗନେବେ। ଫୋରମରେ ଯୋଗଦେଇଥିତ୍ବା ଅନ୍ୟାନ୍ୟ ବିଶ୍ୱ ନେତାଙ୍କ ସହ ବୈଠକ କରିବା ସମେତ ଉପସ୍ଥିତ ଭାରତୀୟ ଶିଳ୍ପପତି ଓ ବ୍ୟବସାୟ ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ମୋଦି କହିଛନ୍ତି।
ଭାରତ-ରୁଷିଆ ସମ୍ପର୍କର ମୂଳଦୁଆ ବହୁତ ମଜଭୂତ। ଉଭୟ ଦେଶ ପ୍ରତିରକ୍ଷା, ବେସାମରିକ ଆଣବିକ ଶକ୍ତି ଏବଂ ମହାକାଶର ଶାନ୍ତିପୂର୍ଣ୍ଣ ବ୍ୟବହାର କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିଆସୁଛନ୍ତି। ଦୁଇଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ପର୍କ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ମୋଦି ସୂଚନା ଦେଇଛନ୍ତି। ଗସ୍ତ ଅବସରରେ ବେସାମରିକ ଆଣବିକ ସହଯୋଗ ଆହୁରି ବଢ଼ାଇବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ସାମରିକ-ବୈଷୟିକ ସହଯୋଗ ଉପରେ ରୁଷିଆ ସହିତ ଆଲୋଚନା ହେବ। ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦୨୫ ସୁଦ୍ଧା ୩୦ ବିଲିୟନ ଡଲାରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି। ଏହି ଅବସରରେ ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଶିଳ୍ପ ସହଯୋଗ, ଶକ୍ତି, ଯୋଗାଯୋଗ, ଶିକ୍ଷା ଓ ସଂସ୍କୃତି ଆଦି କ୍ଷେତ୍ରରେ ୨୫ଟି ଚୁକ୍ତିନାମା ସ୍ବାକ୍ଷର ହେବା କାର୍ଯ୍ୟକ୍ରମ ରହିଛି।

Share