Categories: ବାଣିଜ୍ୟ

ରୁଷିଆ ଶକ୍ତିମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା: ତୈଳ, ବାଷ୍ପ କ୍ଷେତ୍ରରେ ନିବେଶ ଲାଗି କମ୍ପାନୀଙ୍କୁ ଆହ୍ବାନ

ଭୁବନେଶ୍ୱର,୪ା୭: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରୁଷିଆ ଶକ୍ତିମନ୍ତ୍ରୀ ଆଲେକଜାଣ୍ଡାର ନୋଭାକଙ୍କ ସହ ଟେଲିଫୋନ ଯୋଗେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଶକ୍ତି କ୍ଷେତ୍ରରେ ଭାରତ-ରୁଷିଆ ସମ୍ପର୍କ ଦୃଢୀକରଣ, ଷ୍ଟ୍ରାଟେଜିକ୍‌ ସହଭାଗିତା ଏବଂ ହାଇଡ୍ରୋକାର୍ବନ କ୍ଷେତ୍ରକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପ୍ରମୁଖ ସ୍ତମ୍ଭ ଭାବେ ରୂପାନ୍ତରିତ କରିବାକୁ ଧର୍ମେନ୍ଦ୍ର ନୋଭାକଙ୍କ ସହ ଆଲୋଚନା କରିଥିଲେ। ଗତ କିଛିଦିନ ଧରି ଅନ୍ତର୍ଜାତୀୟ ବଜାରରେ ବଢୁଥିବା ତୈଳ ଦର ମଧ୍ୟ ଏହି ଆଲୋଚନାର ଅଂଶ ବିଶେଷ ହୋଇଥିଲା। ବର୍ଦ୍ଧିତ ତୈଳ ଦରକୁ ନେଇ ପ୍ରଧାନ ଉଦ୍‌ବେଗ ପ୍ରକାଶ କରିଥିଲେ। ତୈଳ ବ୍ୟବହାରକାରୀ ଦେଶଗୁଡିକର ସ୍ବାର୍ଥକୁ ରୁଷିଆ ଧ୍ୟାନ ଦେଉ ବୋଲି ପ୍ରଧାନ ଅନୁରୋଧ କରିଛନ୍ତି। ଉକ୍ତ କ୍ଷେତ୍ରରେ ରୁଷିଆ ଓପେକ୍‌ ଦେଶଗୁଡିକ ସହ ଭାରସାମ୍ୟ ରକ୍ଷାକରୁ ରଖୁ ବୋଲି ପ୍ରଧାନ କହିଛନ୍ତି। ତୈଳ ଏବଂ ବାଷ୍ପ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି, ରୁଷିଆରେ ଭାରତୀୟ ନିବେଶ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଭାରତରେ ଗ୍ୟାସ ଭିତ୍ତିଭୂମି ନିର୍ମାଣ, ସିଟି ଗ୍ୟାସ୍‌ ପ୍ରକଳ୍ପ ସମ୍ପ୍ରସାରଣରେ ଯୋଗଦାନ ଏବଂ ତୈଳ ଓ ବାଷ୍ପ କ୍ଷେତ୍ର ନିବେଶ ଲାଗି ପ୍ରଧାନ ରୁଷିଆ କମ୍ପାନୀଗୁଡିକୁ ସେ ନିମନ୍ତ୍ରଣ କରିଛନ୍ତି।

Share