ରୂପ୍‌ସାରେ ରନ୍ଧାଖାଦ୍ୟ ବଣ୍ଟନ

ରୂପ୍‌ସା,୮।୪(ଡି.ଏନ.ଏ.)-ସାରା ଦେଶ ଲକଡାଉନ୍‌ ହେବା ପରେ ସାଧାରଣ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଦିନମଜୁରିଆ, ଅସହାୟ ବୃଦ୍ଧାବୃଦ୍ଧ, ରୂପ୍‌ସା ରେଳ ଷ୍ଟେଶନରେ ଅଟକି ରହିଥିବା ଯାତ୍ରୀ, ହାଟଚାଳିରେ ରହୁଥିବା ନିରାଶ୍ରୟ ଓ ପିଡବ୍ଲ୍ୟୁଆଇ ଅଫିସ ନିକଟରେ ରହୁଥିବା ଅସହାୟମାନେ ଖାଦ୍ୟ ନ ପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ମାର୍ଚ୍ଚ ୨୯ଠାରୁ ଗାଙ୍ଗଯୋଡ଼ି ନଦୀ ପୋଲଠାରେ, ରାମ ସିଂ ଛକ, ପାଣିଟାଙ୍କି ଛକ, ରେଲୱେ ପ୍ଲାଟଫର୍ମ, ପିଡବ୍ଲ୍ୟୁଆଇ ଅଫିସ, ହାଟ ଚାଳିଆ, ଘାସିସାହି, ଦଲଦଲି ପଦାରେ ଥିବା ବ୍ୟକ୍ତିମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଖାଦ୍ୟ ବଣ୍ଟନ ପାଇଁ ସ୍ଥିର ହୋଇଛି। ଦୈନିକ ପ୍ରାୟ ୧ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଏହି ମହତ୍‌ କାର୍ଯ୍ୟକୁ ରୂପ୍‌ସା ଥାନା ପ୍ରଶାସନିକ ଅଧିକାରୀ ବିଶ୍ୱଜିତ ରାଉତରାୟଙ୍କ ପୂର୍ଣ୍ଣ ସହଯୋଗରେ ସ୍ବେଚ୍ଛାସେବୀ କସିପଦା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅନନ୍ତ କୁମାର ସାହୁ, ବରଦାପ୍ରସନ୍ନ ପଟ୍ଟନାୟକ, ଜଗଦୀଶ ବେହେରା, ସଞ୍ଜୟ କୁମାର ସେଠୀ, ବଂଶୀଧର ପଣ୍ଡା, ପ୍ରସନ୍ନ କୁମାର ସାହୁ, ପ୍ରମୋଦ କୁମାର ସାହୁ, ସୁବ୍ରତ କୁମାର ଦାସ, ରବୀନ୍ଦ୍ର କୁମାର ପରିଡ଼ା, ଜୟଦେବ ବେହେରା, ମଣ୍ଟୁ ପ୍ରଧାନ ପ୍ରମୁଖ ଜାରି ରଖିଛନ୍ତି।