ରୂପ୍‌ସା ରେଳ ଜଙ୍କଶନ: ଜାନୁୟାରୀ ସୁଦ୍ଧା ସରିବ ଫୁଟ୍‌ ଓଭରବ୍ରିଜ୍‌

ରୂପ୍‌ସା, ୧୭।୧୧(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିିଲାର ରୂପ୍‌ସା ରେଳ ଜଙ୍କଶନ ଓ ଷ୍ଟେଶନରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଅସମ୍ପୂର୍ଣ୍ଣ ଯୋଗୁ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ଏନେଇ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ହେଁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହୋଇଛି। ଗତ ୧୫ତାରିଖରେ ଖଡ଼ଗପୁର ଡିଭିଜନାଲ ମ୍ୟାନେଜର (ଡିଆର୍‌ଏମ୍‌) କେ. ଆର୍‌. କେ. ରେଡ୍ଡୀ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ରୂପ୍‌ସା-ବାଙ୍ଗିରିପୋଷି ରେଳଲାଇନ୍‌ ସମ୍ପ୍ରସାରଣ ଅନୁଧ୍ୟାନ ପାଇଁ ଆସି ରୂପ୍‌ସା ଷ୍ଟେଶନରେ କିଛି ସମୟ ରହିଥିଲେ। ଖବରପାଇ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଭଗବାନ ମହାପାତ୍ର, ଉପସଭାପତି ନିରଞ୍ଜନ ପଣ୍ଡାଶର୍ମା, ଶାରଦା ପ୍ରସନ୍ନ ପଟ୍ଟନାୟକ ଓ ଷ୍ଟେଶନରେ ଥିବା ବହୁ ରେଳଯାତ୍ରୀ ଡିଆର୍‌ଏମ୍‌ଙ୍କୁ ଭେଟିଥିଲେ। ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦିଗରେ ତାଙ୍କ ସହ ସ୍ବଳ୍ପ ସମୟ ଆଲୋଚନା କରିଥିଲେ। ୨୦୨୦ ଜାନୁୟାରୀ ପୂର୍ବରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦିଗରେ ପଦକ୍ଷେପ ନିଆଯାଉଥିବା ଡିଆର୍‌ଏମ୍‌ ରେଡ୍ଡୀ ପ୍ରତିଶ୍ରୁତି ଦେଇଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ ଜଙ୍କଶନରେ ଷ୍ଟେଶନ ବାହାରୁ ୧ନଂ. ପ୍ଲାଟଫର୍ମକୁ ଗୋଟିଏ ଫୁଟ୍‌ ଓଭରବ୍ରିଜ୍‌ ଏହାଠାରୁ ୨୦୦ମି. ଦୂର ଉତ୍ତରକୁ ୨ନଂ. ପ୍ଲାଟଫର୍ମରୁ ୩ନଂ. ପ୍ଲାଟଫର୍ମକୁ ଅନ୍ୟ ଏକ ଫୁଟ୍‌ ଓଭରବ୍ରିଜ୍‌ ଥିବାରୁ ଯାତ୍ରୀମାନେ ବିପଜ୍ଜନକ ଅବସ୍ଥାରେ ହଇରାଣ ହୋଇଥାନ୍ତି। ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ୧ନଂ. ପ୍ଲାଟଫର୍ମରେ ଥିବା ଫୁଟ୍‌ ଓଭରବ୍ରିଜ୍‌କୁ ୩ନଂ. ଓ ୪ନଂ. ପ୍ଲାଟଫର୍ମକୁ ସିଧା ସମ୍ପ୍ରସାରଣ ପାଇଁ ବିକାଶ ପରିଷଦ ପକ୍ଷରୁ ଦାବି ହୋଇଥିଲା। ଏପରି କି ବାରମ୍ବାର ରେଳରୋକୋ କରାଯିବାରୁ ବିଭାଗ ପକ୍ଷରୁ ସିଧା ସମ୍ପ୍ରସାରଣ କରାଯାଇ ବ୍ରିଜ୍‌ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ ପୂର୍ବକ ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ନିର୍ମାଣ କାର୍ଯ୍ୟ ଚାଲିଛି।