ରେକର୍ଡ କଲେ ଶିଳ୍ପୀ ସତ୍ୟ: ୧୨ ଘଣ୍ଟାରେ ନିର୍ମାଣ କଲେ ୧.୫ ଇଞ୍ଚ ଉଚ୍ଚତା ରଥ

ବ୍ରହ୍ମପୁର ଅଫିସ,୧୧ା୭-ନିଜ ରେକର୍ଡକୁ ପୁଣି ଭାଙ୍ଗିଲେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା। ସତ୍ୟ ଶ୍ରୀଗୁଣ୍ଡିଚା ଅବସରରେ ୨.୫ ଇଞ୍ଚ ଉଚ୍ଚତା, ୨ ଇଞ୍ଚ ଓସାରର ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ନିର୍ମାଣ କରି ରେକର୍ଡ ସୃଷ୍ଟି କରିଥିଲେ। ଏବେ ତିନିଠାକୁରଙ୍କ ବାହୁଡାଯାତ୍ରାରେ ପୁଣି ନିଜ ରେକର୍ଡ ଭାଙ୍ଗିଛନ୍ତି। କାଠରେ ୧୨ ଘଣ୍ଟାରେ ୧.୫(ଦେଢ ଇଞ୍ଚ) ଇଞ୍ଚ ଉଚ୍ଚତା ୧ ଇଞ୍ଚ ଓସାରର ଜଗନ୍ନାଥଙ୍କ ଅବିକଳ ନନ୍ଦିଘୋଷ ଆକୃତିର ରଥ ନିର୍ମାଣ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମ ଦିନରେ ହିଁ ଏହି ରଥ ୱାଲ୍ଡ ରେକର୍ଡ ଅଫ ଇଣ୍ଡିଆରେ ସ୍ଥାନୀତ ହୋଇଥିବା ସେ କହିଛନ୍ତି।
ଚଳିତ ଶ୍ରୀଗୁଣ୍ଡିଚାରେ ୨.୫ ଇଞ୍ଚ ଉଚ୍ଚତା ଓ ୨ ଇଞ୍ଚ ଓସାରର ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ତିଆରି କରି ବିଶ୍ୱସ୍ତରରେ ନୂତନ ରେକର୍ଡ ସୃଷ୍ଟି କରିଥିଲେ। ଏହାର ମାତ୍ର ୯ ଦିନରେ ପୁଣି ରେକର୍ଡ ଭାଙ୍ଗିଛନ୍ତି। ମାତ୍ର ୧୨ ଘଣ୍ଟା ମଧ୍ୟରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ କରିଛନ୍ତି। କାଠରେ ମାତ୍ର ଦେଢ ଇଞ୍ଚ ଉଚ୍ଚତା ଓ ୧ ଇଞ୍ଚ ଓସାରର ଜଗନ୍ନାଥଙ୍କ ନନ୍ଦିଘୋଷ ଆକୃତିର ରଥ ନିର୍ମାଣ କରିଛନ୍ତି। ଯେଉଁଥିରେ ୪ ଏମଏମ ଉଚ୍ଚତାର ୧୬ ଚକ ରହିଥିବା ବେଳେ ଦଧିନଉତିର ଉଚ୍ଚତା ରହିଛି ମାତ୍ର ୩ ଏମ୍‌ଏମ୍‌। ଏହାବ୍ୟତୀତ ପତିତପାବନ ବାନାର ଉଚ୍ଚତା ୧ ଏମ୍‌ଏମ୍‌, ଜଗନ୍ନାଥ ମୂର୍ତ୍ତିର ଉଚ୍ଚତା ରହିଛି ମାତ୍ର ୬ ଏମ୍‌ଏମ୍‌। ଏଥିସହ ରଥରେ ୪ ଘୋଟା, ୨ ଓଲଟ ଶୁଆ ଖଞ୍ଜାଯାଇଛି। ଏହି ରଥ ପ୍ରଥମ ଦିନରେ ୱାଲ୍ଡ ରେକର୍ଡ ଅଫ ଇଣ୍ଡିଆରେ ସ୍ଥାନୀତ ହୋଇଥିବା ବେଳେ ଆଗକୁ ଅନ୍ୟ ରେକର୍ଡରେ ମଧ୍ୟରେ ସ୍ଥାନୀତ ହେବ ବୋଲି ସତ୍ୟ କହିଛନ୍ତି।

Share