Categories: ଫୁରସତ

ରେକର୍ଡ ନିଶା: ପାଦରେ ନୁହେଁ ଚାଲନ୍ତି ହାତରେ…

ଇଚ୍ଛା ଶକ୍ତି ଓ ଅଧ୍ୟବସାୟ ବଳରେ ଯେ କେ ଣସି ଅସମ୍ଭବ କାମ ବି ସମ୍ଭବ ହୋଇପାରେ ବୋଲି ମଣିଷ ବାରମ୍ବାର ପ୍ରମାଣ ଦେଇଆସିଛି। ଏଇ ଯେମିତି ଭଗବାନ ଆମକୁ ପାଦ ଦେଇଛନ୍ତି ଚାଲିବା ପାଇଁ ଆଉ ହାତ ଦେଇଛନ୍ତି ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ। କିନ୍ତୁ ଏମିତି ବି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ପାଦ ବଦଳରେ ହାତ ସାହାଯ୍ୟରେ ଚାଲିବାକୁ ଚେଷ୍ଟାକରି ସେଥିରେ ସଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ହାତ ସାହାଯ୍ୟରେ ଚାଲି ସେମାନେ ଏମିତି ଅନେକ କାମ ବି କରୁଛନ୍ତି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏଠାରେ ସେମିତି କେତେଜଣ ହାତରେ ଚାଲୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଉଲ୍ଲେଖ କରାଗଲା….

ରିୟଲ୍‌ ହିରୋ ଦିରାର୍‌: ଇଥିଓପିଆର ଦିରାର୍‌ ଅବୋହୋୟ। ବୟସ ପାଖାପାଖି ୩୨/୩୩ ବର୍ଷ ହେବ। ପିଲାଟିଦିନରୁ ଚାଇନିଜ୍‌ ଓ ହଲିଉଡ୍‌ ଫିଲ୍ମ ଦେଖିବା ତାଙ୍କର ଖୁବ୍‌ ପସନ୍ଦ। ଆଉ ଏହି ଫିଲ୍ମ ହିଁ ତାଙ୍କୁ ଏମିତି ଏକ କାମ କରିବାକୁ ପ୍ରେରଣା ଦେଇଛି, ଯେଉଁଥିପାଇଁ ସେ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କଥା କ’ଣ କି, ଚାଇନିଜ୍‌ ଏବଂ ହଲିଉଡ୍‌ ଫିଲ୍ମରେ ସାଧାରଣତଃ ଅନେକ ଷ୍ଟଣ୍ଟ ସିନ୍‌ ଥାଏ। ପିଲାଦିନୁ ଦିରାର୍‌ ସେହି ସବୁ ଷ୍ଟଣ୍ଟ ସିନ୍‌କୁ ଦେଖି ଭାବୁଥିଲେ ତାହା ସବୁ ସତ ଆଉ ଫିଲ୍ମ ହିରୋମାନେ ହିଁ ଏସବୁ ଷ୍ଟଣ୍ଟ କରୁଛନ୍ତି। ତାଙ୍କର ଭିଜୁଆଲ୍‌ ଏଡିଟିଂ ଉପରେ ଆଦୌ ଧାରଣା ନ ଥିଲା। ତେଣୁ ସେ ଚିନ୍ତା କଲେ ଯଦି ଫିଲ୍ମର ହିରୋମାନେ ଏମିତି ଦୁଃସାହସିକ ଷ୍ଟଣ୍ଟ ସବୁ ଦେଇପାରୁଛନ୍ତି, ତା’ହେଲେ ମୁଁ କାହିଁକି ପାରିବିନି। ତେଣୁ ସେ ବି କିଛି ଗୋଟାଏ ନିଆରା ଷ୍ଟଣ୍ଟ ଦେବା ପାଇଁ ଇଚ୍ଛା କରି ହାତରେ ଚାଲିବାର କୌଶଳ ଶିଖିଲେ। ହେଲେ ମୁଣ୍ଡ ତଳକୁ ଗୋଡ଼ ଦୁଇଟିକୁ ଉପରକୁ କରି ହାତ ସାହାଯ୍ୟରେ ଚାଲିବା ଏତେ ସହଜ କଥା ନ ଥିଲା। କିନ୍ତୁ ଅଭ୍ୟାସ ଦ୍ୱାରା ଯେ ଅସମ୍ଭବ କାମ ବି ସମ୍ଭବ ହୋଇପାରେ, ତାହା ଦିରାର୍‌ ପ୍ରମାଣ କରି ଦେଖାଇଦେଲେ। କିଛିଦିନ ବ୍ୟବଧାନ ଭିତରେ ହାତରେ ଚାଲିବାରେ ସତେ ଯେମିତି ବିଜୟ ହାସଲ କରିଗଲେ ସେ। ଦିରାର୍‌ ହାତରେ କେବଳ ଚାଲୁଥିଲେ ତାହା ନୁହେଁ ଧୀରେ ଧୀରେ ସେ ହାତ ସାହାଯ୍ୟରେ ଶିଡ଼ି ଚଢ଼ିବା, ହାତରେ ଚାଲି ଚାଲି କାର୍‌କୁ ଟାଣିବା, ପାହାଡ଼ ଚଢ଼ିବା ଓ ଓହ୍ଲେଇବା, ପାଚେରି ଉପରେ ଡେଇଁ ଡେଇଁକି ଯିବା ଏପରି କି ହାତରେ ଚାଲିବା ସମୟରେ ଅନ୍ୟ ଜଣଙ୍କୁ ଟେକିକି ନେଇ ଯିବାର କାମ ବି ସେ ଅତି ସହଜରେ କରିପାରୁଥିଲେ। ଆଉ ଏଥିପାଇଁ ତାଙ୍କୁ ପ୍ରତିଦିନ ସକାଳେ ୩ ଘଣ୍ଟା ଏବଂ ସନ୍ଧ୍ୟାରେ ୩ ଘଣ୍ଟା କଠିନ ଅଭ୍ୟାସ କରିବାକୁ ପଡୁଥିଲା। ଧୀରେ ଧୀରେ ଦିରାର୍‌ଙ୍କର ଏଭଳି କାରନାମା ସମ୍ପର୍କରେ ଲୋକେ ଅବଗତ ହେବା ପରେ ସୋସିଆଲ୍‌ ମିଡିଆରେ ତାଙ୍କର ଖୁବ୍‌ ଚର୍ଚ୍ଚା ହେବାକୁ ଲାଗିଲା। କିଛି ଲୋକ ତାଙ୍କୁ ରିୟଲ୍‌ ହିରୋର ଆଖ୍ୟା ଦେବାବେଳେ ଆଉ କିଛି ଲୋକ ତାଙ୍କୁ ରେକର୍ଡ କରି ନାଁ କମାଇବା ପାଇଁ ବି ପରାମର୍ଶ ଦେଲେ। ଫଳରେ ସେବେଠାରୁ ଦିରାର୍‌ ତାଙ୍କର ଏହି ଅଭ୍ୟାସ ଜାରି ରଖି ସେହି ଶୁଭଦିନକୁ ଅପେକ୍ଷା କରି ରହିଛନ୍ତି।

ଗୋଟିଏ ହାତରେ ରେକର୍ଡ ରଚିଲେ ଜାମା: ଦକ୍ଷିଣ ଆଫ୍ରିକାର ୨୮ ବର୍ଷର ଜଣେ ଯୁବକ ହେଲେ ଜାମା ମୋଫୋକେଙ୍ଗ। ପିଲାଟି ଦିନରୁ ନୂଆ ନୂଆ କୌଶଳ ପରିଦର୍ଶନ କରାଇବାରେ ଥିଲା ତାଙ୍କର ଖୁବ୍‌ ରୁଚି। ସେଥିପାଇଁ ୧୦ ବର୍ଷ ବୟସରୁ ସେ ଜିମ୍‌ନାଷ୍ଟିକ୍‌ ଶିଖିବା ଆରମ୍ଭ କରିଥିଲେ। ହେଲେ ଦୁଃଖର ବିଷୟ ତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା, ସେ ଗୋଟିଏ ଦୁର୍ଘଟଣାର ସମ୍ମୁଖୀନ ହେଲେ। ଯେଉଁଥିରେ ତାଙ୍କର ଗୋଟିଏ ହାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଡାକ୍ତର ତାଙ୍କୁ ଆଉ ଏଭଳି ଦୁଃସାହସିକ କାମ କରିବା ପାଇଁ ମନା କରିଥିଲେ। ହେଲେ ମନର ଇଚ୍ଛାକୁ କିଏ କ’ଣ ଏତେ ସହଜରେ ଭୁଲିପାରେ। ଜାମା ନିଜ ମନକୁ ଦୃଢ଼ କଲେ। ଗୋଟିଏ ହାତ ଭାଙ୍ଗିଯାଇଥିଲେ କ’ଣ ହେଲା ତାଙ୍କର ଆଉ ଏକ ହାତ ତ ଅଛି। ଆଉ ସେହି ଗୋଟିଏ ହାତ ସାହାଯ୍ୟରେ ସେ ଏମିତି କିଛି କରି ଦେଖାଇବେ ଯାହାକୁ ନେଇ ତାଙ୍କର ଖୁବ୍‌ ଚର୍ଚ୍ଚା ହେବ, ସେ ଲକ୍ଷ୍ୟରେ ସେ ରହିଲେ। ଶେଷରେ ସେ ଗୋଟିଏ ହାତ ସାହାଯ୍ୟରେ ବ୍ୟାକ୍‌ ହ୍ୟାଣ୍ଡସ୍ପ୍ରିଙ୍ଗ୍ସ (ପ୍ରଥମେ ହାତ ତଳେ ଦେଇ ପଛୁଆ ଡେଇଁ ଗୋଡରେ ଠିଆ ହୋଇଯିବାର ଖେଳ) କରିବା ଆରମ୍ଭ କରିଦେଲେ। ସେ ଯେହେତୁ ଜିମ୍‌ନାଷ୍ଟିକ୍‌ ଶିଖୁଥିଲେ ତେଣୁ ତାଙ୍କ ପାଖେ ଏହାକୁ ଗୋଟିଏ ହାତରେ ବାଲାନ୍ସ କରିବା ସେତେ କଷ୍ଟ ହେଲା ନାହିଁ। ଏହାକୁ ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ସେ ଲଗାତର ୩୪ଥର ଗୋଟିଏ ହାତରେ ବ୍ୟାକ୍‌ ହ୍ୟାଣ୍ଡସ୍ପ୍ରିଙ୍ଗ୍ସ କରି ଏକ ନିଆରା ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହେଲେ। ତେଣୁ ଜାମାଙ୍କର ଦୃଢ଼ ଇଚ୍ଛାଶକ୍ତି ଓ କଠିନ ଅଧ୍ୟବସାୟ ହିଁ ତାଙ୍କୁ ଆଜି ଏହି ସଫଳତା ଆଣିଦେଇଛି ବୋଲି କହିଲେ, ଆଦୌ ଭୁଲ୍‌ ହେବ ନାହିଁ।

ହାତରେ ଚାଲି ରେକର୍ଡ କଲେ ଝାଙ୍ଗ୍‌: ଚାଇନାର ଜଣେ ୨୪ ବର୍ଷର ଯୁବକ ହେଲେ ଝାଙ୍ଗ୍‌ ସୁଆଙ୍ଗ। ସେ ଜଣେ ଭଲ ଖେଳ ଛାତ୍ର ମଧ୍ୟ। ପିଲାଟି ଦିନରୁ ଖେଳ ଦିଗରେ ନାଁ କମାଇବାର ଲକ୍ଷ୍ୟ ସେ ରଖିଥିଲେ। ଯାହାକୁ ପୂରଣ କରିବା ପାଇଁ ସେ ଖୁବ୍‌ କଠିନ ପରିଶ୍ରମ ବି କରୁଥିଲେ। ଖେଳ ଅଭ୍ୟାସ କରିବା ସମୟରେ ହିଁ ତାଙ୍କର ମୁଣ୍ଡ ତଳକୁ ଗୋଡ଼ ଉପରକୁ କରି ହାତ ସାହାଯ୍ୟରେ ଚାଲିବାର ଏକ ନିଆରା ପ୍ରୟାସ ଆରମ୍ଭ ହୋଇଥିଲା। କ୍ରମେ ଏହି ଦିଗରେ ରେକର୍ଡ କରିବା ପାଇଁ ସେ ଚିନ୍ତା କଲେ। ଯେଉଁଥିପାଇଁ ସେ ଭୋର୍‌ରୁ ରାତି ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ହାତରେ ଚାଲିବାର ଅଭ୍ୟାସ ବଢ଼ାଇ ଚାଲିଥିଲେ। ତାଙ୍କୁ ଏ କ୍ଷେତ୍ରରେ ତାଙ୍କ ଟ୍ରେନର୍‌ ବି ବହୁତ ସାହାଯ୍ୟ କରୁଥିଲେ। ଯଦ୍ଦ୍ବାରା ମାତ୍ର କେଇ ସେକେଣ୍ଡରେ ଝାଙ୍ଗ୍‌ ହାତ ସାହାଯ୍ୟରେ ପ୍ରାୟ ୫୦ମି. ଚାଲିବାରେ ସକ୍ଷମ ହୋଇପାରିଥିଲେ। ଏହାପରେ ସେ ପାଦ ମଝିରେ ସକର୍‌ ବଲ୍‌ ରଖି ବି ହାତ ସାହାଯ୍ୟରେ ପ୍ରାୟ ୫୦ ମିଟର ଚାଲିବାର ଅଭ୍ୟାସ ଆରମ୍ଭ କଲେ। କେବଳ ସେତିକି ନୁହେଁ ହାତ ସାହାଯ୍ୟରେ ପାହାଚ ଚଢ଼ିବା, ଓହ୍ଲାଇବା କାମ ବି ସେ ଖୁବ୍‌ ସହଜରେ କରି ପାରୁଥିଲେ। ତେବେ ଖୁବ୍‌ କମ୍‌ ସମୟର ବ୍ୟବଧାନରେ କିପରି ଅଧିକ ସମୟ ହାତରେ ଚାଲିହେବ, ତା’ଉପରେ ଝାଙ୍ଗ୍‌ ଦକ୍ଷତା ହାସଲ କରି ଏକ ନିଆରା ରେକର୍ଡ ସୃଷ୍ଟି କରିବାରେ କ୍ରମେ ସଫଳ ହେଲେ। ଆଉ ଏସବୁ କେବଳ ତାଙ୍କର ଅଧ୍ୟବସାୟ ଦ୍ୱାରା ହିଁ ସମ୍ଭବ ହୋଇପାରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରେକର୍ଡ ଅପେକ୍ଷାରେ ସୌଭାଗ୍ୟ: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଗୁରା ଗାଁର ଜଣେ ୨୪/୨୫ ବର୍ଷର ଯୁବକ ହେଲେ ସୌଭାଗ୍ୟ ରଞ୍ଜନ ବରାଡ଼। ଲକ୍ଷ୍ମୀଧର ବରାଡ଼ ଓ କଳାବତୀ ବରାଡ଼ଙ୍କର ଦୁଇ ପୁଅ ମଧ୍ୟରୁ ସେ ହେଉଛନ୍ତି ବଡ଼। ପିଲାଟି ଦିନରୁ ବାପା, ଜେଜେବାପା ତଥା ଅଜାଙ୍କର ପାଇକ ଆଖଡ଼ା କରୁଥିବାର ଦୃଶ୍ୟକୁ ଦେଖି ଦେଖି ସେ ବଡ଼ ହେଉଥିଲେ। ତାଙ୍କ ଭିତରେ ବି ଏମିତି କିଛି ନିଆରା କଳା କୌଶଳ କରିବାର ଇଚ୍ଛା ଜାଗ୍ରତ ହେଲା। ଥରେ ସ୍କୁଲ୍‌ ସାଙ୍ଗମାନେ ଯୋଗଗୁରୁ ରାମଦେବ ବାବା କେମିତି ମୁଣ୍ଡ ତଳକୁ ଗୋଡ଼ ଉପରକୁ କରି ହାତରେ ଚାଲି ପାରୁଛନ୍ତି, ସେ ନେଇ କଥାବାର୍ତ୍ତା ହେଉଥିବାର ଶୁଣି ସୌଭାଗ୍ୟଙ୍କର ବି ସେମିତି କରିବାକୁ ଇଚ୍ଛା ହେଲା। ହେଲେ ଘରଲୋକେ ଏମିତି କରୁଥିବାର ଦେଖିଲେ କାଳେ ରାଗିବେ, ସେଥିପାଇଁ ଲୁଚି ଲୁଚି ସେ ଏହାକୁ ଅଭ୍ୟାସ କରୁଥିଲେ। ପ୍ରଥମେ କାନ୍ଥକୁ ଲାଗିକି ମୁଣ୍ଡ ତଳକୁ ଗୋଡ଼ ଉପରକୁ କିପରି କରାଯାଏ, ତାହା ସେ ଶିଖିଲେ। କିଛିଦିନର ଅଭ୍ୟାସ ପରେ ଏଥିରେ ସଫଳ ହୋଇଯିବାରୁ ସେ କ୍ରମେ କାନ୍ଥ ଛାଡ଼ିକି ଖାଲିରେ ଏପରି କରିବାକୁ ଲାଗିଲେ। ପ୍ରାୟ ୨/୩ ମାସର ଅଭ୍ୟାସ ପରେ ସେ ଏଥିରେ ବି ସଫଳ ହୋଇଗଲେ। ତା’ପରେ ତାଙ୍କର ହାତରେ ଚାଲିବାର ପ୍ରୟାସ ଆରମ୍ଭ ହେଲା। କିନ୍ତୁ ଏଥିରେ ସେ ସଫଳତା ପାଇପାରିଲେ ନାହିଁ। ଏହାକୁ କରିବାକୁ ଯାଇ ସେ ଅନେକ ଥର ଭୂମିରେ କଚାଡି ହୋଇ ପଡୁଥିଲେ। ତାଙ୍କୁ ସେତେବେଳେ ବୟସ ୧୨/୧୩ ବର୍ଷ ହେବ। ଏତେ କମ୍‌ ବୟସରୁ ତାଙ୍କର ଏମିତି ଗୋଟେ ଦୁଃସାହସିକ କାମ କରିବାର ଇଚ୍ଛା ଥିବା କଥା ଜାଣିଲେ କାଳେ କିଏ ରାଗିବେ, ସେଥିପାଇଁ ସେ ସାହସ କରି କାହାରିକୁ କିଛି ଜଣାଇ ପାରୁ ନଥିଲେ କି କାହାଠାରୁ କିଛି ସହଜ ଉପାୟ ବୁଝି ପାରୁ ନଥିଲେ। ତେଣୁ କିଛିଦିନ ପାଇଁ ସେ ଏହି ପ୍ରୟାସକୁ ବନ୍ଦ କରିଦେଇ ବିଭିନ୍ନ ପ୍ରକାର ଯୋଗ କରିବା ଶିଖିଲେ। ତା’ସହିତ ତାଙ୍କ ବାପା ଯେହେତୁ ଜଣେ କୃଷକ ଶ୍ରେଣୀୟ ଲୋକ ଥିଲେ ତେଣୁ ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ସେ ମନନେଇ ପାଠପଢ଼ିଲେ। ଆଉ ମାଟ୍ରିକ୍‌ ପରେ ଆଇଟିଆଇ ଓ ତା’ପରେ ଇଲେକ୍ଟ୍ରିକାଲ୍‌ରେ ଡିପ୍ଲୋମା ପାସ୍‌ କରି ଖୋର୍ଦ୍ଧାସ୍ଥିତ ଏକ ବିସ୍କୁଟ୍‌ କମ୍ପାନୀରେ ଇଲେକ୍ଟ୍ରିକାଲ୍‌ ମେଣ୍ଟେନାନ୍ସ ଷ୍ଟାଫ୍‌ ଭାବେ କାମ କରିବାକୁ ଲାଗିଲେ। ଯେଉଁଠାରେ ସେ ଏବେ ବି କାର୍ଯ୍ୟରତ। ହେଲେ ଏତେ ସବୁ ଦାୟିତ୍ୱ ଭିତରେ ବି ସୌଭାଗ୍ୟ ତାଙ୍କର ସେହି ଅପୂରଣୀୟ ଇଚ୍ଛାଟିକୁ ପାସୋରି ପାରି ନ ଥିଲେ। ଶେଷରେ ୨୦୧୭ରେ ପୁଣି ଥରେ ସେହି ପ୍ରୟାସକୁ ଜାରି କରିବା ପାଇଁ ସୌଭାଗ୍ୟ ଅଣ୍ଟା ଭିଡ଼ିଲେ। କାରଣ ସେତେବେଳେ ଏକ ସ୍ମାର୍ଟଫୋନ୍‌ କିଣିବାର ସୁଯୋଗ ସେ ପାଇଥିଲେ। ଆଉ ଏହି ସ୍ମାର୍ଟଫୋନ୍‌ରେ ଥିବା ୟୁଟ୍ୟୁବ୍‌ରେ ସର୍ଚ କରି ସୌଭାଗ୍ୟ ହାତରେ ଚାଲିବାର କିଛି ସରଳ ଟିପ୍ସ ଶିଖିଲେ। ଯଦ୍ଦ୍ବାରା ଖୁବ୍‌ କମ୍‌ଦିନ ଭିତରେ ସେ ଆରାମରେ ଗୋଟିଏ କୋଠରି ଭିତରେ ହାତ ସାହାଯ୍ୟରେ ଚାଲିବାର ଅଭ୍ୟାସ କରିନେଲେ। ଏହାପରେ ପୁଣି ସେ ୟୁଟ୍ୟୁବ୍‌ରେ ଦେଖିଲେ ଏହାକୁ ନେଇ କିଏ କେମିତି ରେକର୍ଡ କରିଛନ୍ତି। ତେଣୁ ସେ ବି ରେକର୍ଡ କରିବା ନିଶାରେ ରହିଲେ। କିନ୍ତୁ ଏହି ରେକର୍ଡ କରିବାକୁ ହେଲେ ତାଙ୍କୁ ରାସ୍ତାରେ କିଛିବାଟ ହାତରେ ଚାଲିବାକୁ ହେବ। କିନ୍ତୁ ରାସ୍ତାକୁ ଯିବେ କେମିତି। ଦିନରେ କଲେ ଲୋକମାନେ ଦେଖିବେ। କାଳେ କିଏ କ’ଣ କହିବେ। ଆଉ ରାତିରେ ତ ଗାଁରାସ୍ତା ପୂରା ଅନ୍ଧାର। ସେଥିପାଇଁ ସେ ତାଙ୍କ ସାନଭାଇର ସାହାଯ୍ୟ ନେଲେ। ସାନଭାଇ ରାତିରେ ଗାଁପାଖ ମାଗୁରା-ବାଙ୍କୋଇ ରାସ୍ତାରେ ମୋବାଇଲ୍‌ ଫୋନ୍‌ର ଟର୍ଚ୍ଚ ଲଗାଇ ତାଙ୍କୁ ଦେଖାଇଲେ ଆଉ ସେ ରାସ୍ତାରେ ହାତ ସାହାଯ୍ୟରେ ଚାଲିବାକୁ ଲାଗିଲେ। ଧୀରେ ଧୀରେ ଏହି ଅଭ୍ୟାସ କରୁ କରୁ ତାଙ୍କ ଭିତରେ ଆତ୍ମବିଶ୍ୱାସ ଆସିଗଲା। ତେଣୁ ସେ ଏକଥା ଘରେ ଜଣାଇଲେ। ଘରେ ପ୍ରଥମେ ରାଜି ହେଉ ନ ଥିଲେ, ହେଲେ ସୌଭାଗ୍ୟଙ୍କର ଇଚ୍ଛାଶକ୍ତି ଦେଖି ଏହି ଅଭ୍ୟାସ ଜାରି ରଖିବାକୁ ତାଙ୍କୁ ଅନୁମତି ଦେଲେ। ବାସ୍‌ ସେବେଠାରୁ ସୌଭାଗ୍ୟ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୟା’ଭିତରେ ସେ ହାତରେ ପାଖାପାଖି ୩୦୦ ମିଟର ଚାଲିବାରେ ସକ୍ଷମ ହୋଇସାରିଲେଣି। କେବଳ ସେତିକି ନୁହେଁ ଚକ୍ରାଶନରେ ବି ୨୫୦ ମିଟର ଚାଲିବାରେ ସେ ସଫଳତା ହାସଲ କରିସାରିଲେଣି। ହେଲେ ଦୁଃଖର ବିଷୟ ତାଙ୍କ ଭିତରେ ଏତେ ପ୍ରତିଭା ଥାଇ ବି ସେ ଦୀପତଳ ଅନ୍ଧାର ଭଳି ଲୋକଲୋଚନର ଆଢୁଆଳରେ ରହିଯାଇଛନ୍ତି। ରେକର୍ଡ ପାଇଁ ଇଚ୍ଛା ଥିଲେ ବି ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସେ ଠିକ୍‌ ସୁଯୋଗ ପାଇପାରୁ ନାହାନ୍ତି। ତାଙ୍କ ପରିବାରର ଦୁର୍ବଳ ଆର୍ଥିକାବସ୍ଥା ବି ଏ କ୍ଷେତ୍ରରେ ତାଙ୍କୁ ବାଧକ ସାଜିଛି। ଯଦି ସରକାରୀ କିମ୍ବା ବେସରକାରୀ ସଂସ୍ଥା ତରଫରୁ ତାଙ୍କ ପ୍ରତିଭାକୁ ଉତ୍ସାହିତ କରିବା ପାଇଁ ସାହାଯ୍ୟ, ସହଯୋଗ ମିଳିପାରନ୍ତା ତା’ହେଲେ ସେ ଉପକୃତ ହୋଇପାରନ୍ତେ ବୋଲି କୁହନ୍ତି ସୌଭାଗ୍ୟ।

ଶେଷରେ କେବଳ ଏତିକି କୁହାଯାଇପାରେ, ଇଚ୍ଛାଶକ୍ତି ଓ କଠିନ ଅଧ୍ୟବସାୟ ବଳରେ ଯେ କୌଣସି ଅସମ୍ଭବ କାମ ବି ସମ୍ଭବ ହୋଇପାରେ।
-ଅମ୍ବ୍ରିତା ମିଶ୍ର
ତଥ୍ୟ ସହାୟତା-ଲୋକନାଥ ମିଶ୍ର

Share