Categories: ଫୁରସତ

ରେକର୍ଡ ନିଶା: ୭୦ ହଜାର ଦିଆସିଲିରେ ଜାହାଜ ମଡେଲ

ସାଉଥଷ୍ଟମ୍‌: ସଫଳତା ପାଇଁ ବୟସ ଏକ ମାପକାଠି ନୁହେଁ। ନିଷ୍ଠାପର ଉଦ୍ୟମ, ଗଭୀର ଆତ୍ମବିଶ୍ୱାସ ହିଁ ସଫଳତା ଆଡ଼କୁ ବାଟ କଢ଼ାଇନିଏ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ବ୍ରିଟେନର ନାବିକ ଡେଭିଡ ରେନାଲ୍ଡ। ୬୧ବର୍ଷ ବୟସରେ ସେ ନିର୍ମାଣ କରିଛନ୍ତି ୪୦୦ବର୍ଷ ପୁରୁଣା ଐତିହାସିକ ମେଫ୍ଲେବର ଜାହାଜର ପ୍ରତିକୃତି, ତାହା ବି ଦିଆସିଲି କାଠିରେ। ପୁରାତନ ଜାହାଜର ମଡେଲ ପ୍ରସ୍ତୁତ କରିବା ରେନାଲ୍ଡଙ୍କ ସଉକ। ଏହା ତାଙ୍କୁ ବିଶ୍ୱସ୍ତରରେ ଦେଇଛି ପରିଚିତି ଏବଂ ସେ ହୋଇପାରିଛନ୍ତି ଅନେକ ରେକର୍ଡର ଅଧିକାରୀ।
୪୦୦ବର୍ଷ ପୁରୁଣା ଜାହାଜ ‘ମେଫ୍ଲେବର’ ଚଳିତ ବର୍ଷ ଆନିଭର୍ସରି ପାଳୁଛି। ଏହାକୁ ସ୍ମୃତିମଧୁର କରିବାକୁ ଯୋଜନା କରିଥିଲେ ଡେଭିଡ୍‌। ଏହାର ଅବିକଳ ମଡେଲ ତିଆରି କରିବାକୁ ୨ବର୍ଷ ସମୟ ଲାଗିଛି। ୪ଫୁଟ ଉଚ୍ଚ ଏବଂ ୫ଫୁଟ ଲମ୍ବା ବିଶିଷ୍ଟ ଉକ୍ତ ମଡେଲକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ଲାଗିଛି ୯୦୦ ଘଣ୍ଟା। ଏଥିରେ ୭୦ ହଜାର ଦିଆସିଲି କାଠି ବ୍ୟବହାର କରାଯାଇଛି। କାଠିଗୁଡ଼ିକୁ ବାନ୍ଧି ରଖିବାକୁ ସୂତା ଏବଂ ଅଠାର ବ୍ୟବହାର ହୋଇଛି। ଜାହାଜର ମୋଟ ଓଜନ ୭.୨ କିଗ୍ରା।
‘ମେଫ୍ଲେବର’ର ପ୍ରତିକୃତି ନିର୍ମାଣ କରିବା ସହଜ ନ ଥିଲା। ଏହା ପୂର୍ବରୁ ଡେଭିଡ ଜାହାଜ ସହିତ ଜଡ଼ିତ ସମସ୍ତ ଛୋଟବଡ଼ ତଥ୍ୟ ହାସଲ କରିଥିଲେ। ସୂଚନାଯୋଗ୍ୟ, ୧୬୨୦ ସେପ୍ଟେମ୍ବର ୬ରେ ‘ମେଫ୍ଲେବର’ ୧୦୨ ଯାତ୍ରୀଙ୍କୁ ନେଇ ଆମେରିକା ଅଭିମୁଖେ ବାହାରିଥିଲା। ୨ମାସର ଯାତ୍ରା ପରେ ଏହା ମାସାଚୁସେଟ୍‌ସ ତଟରେ ପହଞ୍ଚତ୍ଥିଲା। ଉକ୍ତ ଜାହାଜରେ ଏକ ମିନି ବୋଟ, ଡେକ୍‌ ଏବଂ ତୋପ ମଧ୍ୟ ରହିଥିଲା, ଯାହାର ଅବକଳ ନକଲ ଦେଖିବାକୁ ମିଳିଛି ଡେଭିଡଙ୍କ ମଡେଲରେ। ଡେଭିଡ ଏହା ପୂର୍ବରୁ ୪୦ଟି ଜାହାଜ ନିର୍ମାଣ କରିସାରିଛନ୍ତି। ‘ମେଫ୍ଲେବର’ ସେଥିରୁ ଗୋଟିଏ। ଏଥିପୂର୍ବରୁ ୨୦୦୯ରେ ୨୧ ଫୁଟ ଉଚ୍ଚତା ବିଶିଷ୍ଟ ‘ନର୍ଥ ସି ଅଏଲଶିପ୍‌’ର ମଡେଲ ପ୍ରସ୍ତୁତ କରିଥିଲେ। ଏହା ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ ହୋଇଥିଲେ। ଏଥିରେ ୪୧ ଲକ୍ଷ ଦିଆସିଲି କାଠି ବ୍ୟବହାର କରାଯାଇଥିଲା। ଏତେ ପରିମାଣର କାଠିକୁ ଏକାଠି ଯୋଡ଼ାଗଲେ ତାହା ପାଖାପାଖି ୪.୧ କିମିର ଲାଇନ ସୃଷ୍ଟି କରନ୍ତା ବୋଲି ଜଣାପଡ଼ିଛି।

Share