Categories: ଖେଳ

ରେକର୍ଡ ବିଜୟ

ଗଲ୍ଫ ସୁପରଷ୍ଟାର ଟାଇଗର
ଉଡ୍ସ ବିଭିନ୍ନ କାରଣରୁ ଫର୍ମ ଓ ଫିଟ୍‌ନେସ ପାଇଁ ସଂଘର୍ଷ କରିଆସୁଥିଲେ ମଧ୍ୟ ନିକଟରେ ଜୋଜୋ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଛନ୍ତି। ଏଥିସହିତ ସେ ୮୨ତମ ପିଜିଏ ଟୁର ଟାଇଟଲ ହାସଲ କରି ସର୍ବାଧିକ ଟୁର୍ନାମେଣ୍ଟ ଜିତିବାରେ
ନିଜ ଦେଶର ସାମ ସ୍ନିଡଙ୍କ
ସମକକ୍ଷ ହୋଇଛନ୍ତି…

ଆମେରିକୀୟ ଗଲ୍ଫ ସୁପରଷ୍ଟାର ଟାଇଗର ଉଡ୍ସ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ରେକର୍ଡ ସଂଖ୍ୟକ ଟୁର୍ନାମେଣ୍ଟରେ ବିଜୟ ହାସଲ କରିଛନ୍ତି। ଜାପାନର ଗ୍ରେଟର ଟୋକିଓ ଏରିଆରେ କିଛିଦିନ ତଳେ ଖେଳାଯାଇଥିବା ପେସାଦାର ଗଲ୍ପ ଟୁର୍ନାମେଣ୍ଟ ଜୋଜୋ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି ଟାଇଗର। ଏହି କ୍ରମରେ ସେ କ୍ୟାରିୟରର ୮୨ତମ ପିଜିଏ ଟୁର ଟାଇଟଲ ହାସଲ କରିଛନ୍ତି ଓ ସର୍ବାଧିକ ଟୁର୍ନାମେଣ୍ଟ ଜିତିବାରେ ନିଜ ଦେଶର ସାମ ସ୍ନିଡଙ୍କ ସମକକ୍ଷ ହୋଇଛନ୍ତି। ୪୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପୁଣି ବହୁ ବିବାଦ ଓ ଦୀର୍ଘ ବର୍ଷଧରି ଆଘାତ ସମସ୍ୟା ଦେଇ ଗତି କରୁଥିବା ସତ୍ତ୍ୱେ ଟାଇଗରଙ୍କ ଚମକ କମିନାହିଁ। ଗତ ୧୩ ବର୍ଷ ମଧ୍ୟରେ ସେ ଜାପାନର ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏହା ଟାଇଗରଙ୍କ ପାଇଁ ସେତେଟା ବଡ଼ ଟୁର୍ନାମେଣ୍ଟ ହୋଇ ନ ଥିଲେ ମଧ୍ୟ କ୍ୟାରିୟର ଏ ଭଳି ମୋଡରେ ଏହି ବିଜୟ ତାଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି। କ୍ୟାରିୟରରେ ସବୁ ପ୍ରକାର ସଫଳତା ହାସଲ କରିଥିବା ଟାଇଗରଙ୍କ ପାଇଁ ଏହି ବିଜୟ ବିଶେଷ ଭାବେ ମହତ୍ତ୍ୱ ରଖୁଛି।
ଟାଇଗରଙ୍କ ଏହି ସଫଳତାର ପଛରେ ୩ଟି ମୁଖ୍ୟ କାରଣ ରହିଛି। ଇଞ୍ଜୁରିରୁ ମୁକୁଳି ପୁଣି ଥରେ ସୁସ୍ଥ ହେବା ସହ ଫିଟ୍‌ନେସ ହାସଲ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଅନ୍ୟତମ କାରଣ ହେଉଛି ଟାଇଗର ସହଜରେ ହାର ମାନି ନ ଥାନ୍ତି ଓ ସେ ଏତେଶୀଘ୍ର କିଛି ତ୍ୟାଗ କରି ନ ଥାନ୍ତି। ଅନ୍ୟ କାରଣଟି ହେଉଛି ସେ ଜଣେ ଉଚ୍ଚ ଓ ଦକ୍ଷତାସମ୍ପନ୍ନ ଖେଳାଳି। ୧୯୯୬ରେ ପେସାଦାର ଗଲ୍ଫରେ ପଦାର୍ପଣ କରିଥିବା ଏହି ତାରକା କ୍ୟାରିୟରରେ ୧୦୯ଟି ପେସାଦାର ବିଜୟ ହାସଲ କରିଛନ୍ତି। ବିଶ୍ୱ ଗଲ୍ଫ ର଼୍ୟାଙ୍କିଙ୍ଗ୍‌ରେ ସେ ୬୮୩ ସପ୍ତାହ ଧରି ଏକ ନମ୍ବର ସ୍ଥାନ ହାସଲ କରି ରେକର୍ଡ କରିଥିଲେ। ସେ ୮୨ଟି ପିଜିଏ ଟୁର ଟାଇଟଲ ହାସଲ କରିଥିବା ବେଳେ ୪୧ଟି ୟୁରୋପିଆନ ଟୁର ବିଜୟ ହାସଲ କରିଛନ୍ତି। ସେହିପରି ସେ ୩ଟି ଜାପାନ ଗଲ୍ଫ ଟୁର ବିଜୟ, ଗୋଟିଏ ଏସିଆନ ଟୁର ବିଜୟ, ଗୋଟିଏ ପିଜିଏ ଟୁର ଅଫ୍‌ ଅଷ୍ଟ୍ରେଲେସିଆ ବିଜୟ ହାସଲ କରିଛନ୍ତି। ୧୬ଟି ଅନ୍ୟ ପେସାଦାର ବିଜୟ ସହ ସେ ୨୧ଟି ଆମେଚର ବିଜୟ ମଧ୍ୟ ହାସଲ କରିଛନ୍ତି। ସେ ୧୫ଟି ମେଜର ଚାମ୍ପିୟନଶିପ୍‌ରେ ମଧ୍ୟ ବିଜୟ ହାସଲ କରିଛନ୍ତି। ଜୁନିୟରଠାରୁ ସିନିୟରସ୍ତର ପର୍ଯ୍ୟନ୍ତ ଗଲ୍ଫରେ ସଫଳତାର ଶୀର୍ଷକୁ ଛୁଇଁ ଥିବା ଟାଇଗର ପ୍ରାୟ ସବୁ ପୁରସ୍କାର ହାସଲ କରିଛନ୍ତି। ୪୬ ବର୍ଷରେ ପଦାର୍ପଣ କରିଥିବାରୁ ତାଙ୍କ କ୍ୟାରିୟର ଆଗକୁ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଯେପର୍ଯ୍ୟନ୍ତ ଫିଟ୍‌ ଥିଲେ ଖେଳ ଜାରି ରଖିବେ ବୋଲି ଟାଇଗର କହିଛନ୍ତି।
ଟାଇଗରଙ୍କ ଅସାଧାରଣ ପ୍ରତିଭା ଓ ସଫଳତାରେ ବେଶ୍‌ ପ୍ରଭାବିତ ହୋଇଛନ୍ତି ଉତ୍ତର ଆୟର୍ଲାଣ୍ଡର ଅଭିଜ୍ଞ ଗଲ୍ଫର ରୋରି ମ୍ୟାକଲୋରି। ଟାଇଗର ହେଉଛନ୍ତି ଗଲ୍ଫ ଇତିହାସର ଶ୍ରେଷ୍ଠ ଖେଳାଳି ଓ ତାଙ୍କ ସଫଳତା ଦୃଷ୍ଟାନ୍ତମୂଳକ ବୋଲି ୪ଥର ମେଜର ଟାଇଟଲ ଜିତିଥିବା ମ୍ୟାକଲୋରି କହିଛନ୍ତି।

Share