Categories: ଖେଳ

ରେକର୍ଡ ଭାଙ୍ଗିବାରୁ କୋହଲି, ବାବରଙ୍କୁ କ୍ଷମା ମାଗିଲେ ବ୍ୟାଟ୍ସମ୍ୟାନ

ଆମଷ୍ଟରଡାମ,୪।୧୦: ନେଦରଲାଣ୍ଡ କ୍ରିକେଟର ରାୟାନ ଟେନ୍‌ ଡୋସଚେଟଙ୍କଠାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପାକିସ୍ତାନ ସେନସେଶନ ବାବର ଆଜମ ପଛରେ ରହିଛନ୍ତି। ଦିନିକିଆ କ୍ରିକେଟରେ ଅତିକମ୍‌ରେ ଏକ ହଜାର ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଡୋସଚେଟଙ୍କ ଆଭରେଜ ସର୍ବାଧିକ। ନିର୍ଦ୍ଦିଷ୍ଟ ଏହି ତାଲିକାରେ କୋହଲି ଦ୍ୱିତୀୟ ଓ ଆଜମ ୩ୟ ସ୍ଥାନରେ ରହିଛନ୍ତି। ଏ ନେଇ ନେଦରଲାଣ୍ଡର ସିନିୟର ବ୍ୟାଟ୍ସମ୍ୟାନ ଟୁଇଟ୍‌ କରି ଜଣାଇଛନ୍ତି। ନେଦରଲାଣ୍ଡ ପାଇଁ ୩୩ ମ୍ୟାଚ୍‌ ଖେଳିଥିବା ଡୋସଚେଟ ୬୭.୦୦ ଆଭରେଜରେ ୧୪୪୧ ରନ୍‌ କରିଛନ୍ତି। ତାଙ୍କ ପଛକୁ ଥିବା କୋହଲି ୬୦.୩୧ ହାରରେ ୧୧,୫୨୦ ରନ୍‌ କରିଥିବାବେଳେ ପାକିସ୍ତାନର ଆଜମ ୫୪.୫୫ ହାରରେ ୩୩୨୮ ରନ୍‌ କରିଛନ୍ତି। ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ପଛରେ ଥିବାରୁ ଡୋସଚେଟ କ୍ଷମାପ୍ରାର୍ଥନା କରିଛନ୍ତି। ଉଲ୍ଲେଖଥାଉ କି, ଡୋସଚେଟଙ୍କ ଦିନିକିଆ କ୍ୟାରିୟରରେ ୫ ଶତକ ରହିଛି। ତନ୍ମଧ୍ୟରୁ ଦୁଇ ଶତକ ୨୦୧୧ ବିଶ୍ୱକପ୍‌ରେ ଲଗାଇଥିଲେ। ସେ ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ପାଇଁ ୨୦୦୧୧ରୁ ୧୪ ପର୍ଯ୍ୟନ୍ତ ଖେଳିଥିଲେ। ୨୦୧୧ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟରୁ ହଠାତ୍‌ ଅବସର ନେଇଥିଲେ। ଚଳିତବର୍ଷ ଫେବୃୟାରୀରେ ଏହି ଅଲରାଉଣ୍ଡର ଅନ୍ତିମ ଟି୨୦ ଖେଳିଥିଲେ।

Share