ରେଡ୍‌ ଜୋନରେ ସାମିଲ ଦେଶର ୧୩୦ ଜିଲା: ତାଲିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟର ଲକ୍‌ଡାଉନ ଅବଧି ମେ’ ୩କୁ ଶେଷ ହେବାକୁ ଯାଉଛି। ଇତିମଧ୍ୟରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ଜୋନର ତାଲିକା ପ୍ରକାଶ କରିଛି। ସମ୍ପୃକ୍ତ ଅଞ୍ଚଳର କରୋନାଭାଇରସ ପରିସ୍ଥିତିକୁ ଆଧାର କରି ବିଭିନ୍ନ ରାଜ୍ୟ ଓ ଜିଲାମାନଙ୍କୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନରେ ବଣ୍ଟନ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ୧୩୦ଟି ଜିଲାକୁ ରେଡ୍‌ ଜୋନ ଭାବେ ଘୋଷଣା କରିଥିବା ବେଳେ ୨୮୪ଟି ଅରେଞ୍ଜ ଓ ୩୧୯ଟି ଜିଲାକୁ ଗ୍ରୀନ୍‌ ଜୋନ ତାଲିକାରେ ସାମିଲ କରିଛି। ଏହି ତାଲିକା ଅନୁସାରେ ଯଦି କୌଣସି ରାଜ୍ୟରେ କିମ୍ବା ଜିଲାରେ ୨୧ ଦିନ ଯାଏଁ ନୂଆ ପଜିଟିଭ୍‌ ମାମଲା ସାମ୍ନାକୁ ଆସି ନ ଥାଏ ତେବେ ଏହା ଗ୍ରୀନ୍‌ ଜୋନରେ ଅର୍ନ୍ତଭୁକ୍ତ ହେବ। ପୂର୍ବରୁ ଏହାର ସମୟ ସୀମା ୨୮ ଦିନ ରହିଥିଲା। ସୂଚନା ଯୋଗ୍ୟ, ବିଭିନ୍ନ ରାଜ୍ୟର ସରକାର ଓ ମୁଖ୍ୟ ସଚିବମାନଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ତାଲିକା ପ୍ରସ୍ତୁତ କରିଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୋର ଓ ଅହମଦାବାଦ ସମେତ ସମସ୍ତ ମେଟ୍ରୋ ସହରକୁ ରେଡ୍‌ ଜୋନ ଭାବେ ଘୋଷଣା କରାଯାଇଛି। କାରଣ ଏଠାରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଭୟ ରହିଛି। ତେବେ ଏହି ତାଲିକାରେ ଯଥାକ୍ରମେ ଦିଲ୍ଲୀର ୧୧ଟି ଜିଲା, ମୁମ୍ବାଇର ୧୪, ତାମିଲନାଡୁର ୧୨, ଉତ୍ତରପ୍ରଦେଶ ୧୯, କୋଲକାତାର ୧୦ଟି ଜିଲା ରହିଛି। ସେହିପରି ଗୁଜୁରାଟର ୯, ମଧ୍ୟପ୍ରଦେଶର ୯ ଓ ରାଜସ୍ଥାନର ୮ଟି ଜିଲା ରେଡ୍‌ ଜୋନରେ ସାମିଲ ହୋଇଥିବା ଜଣାପଡ଼ିଛି।

Share