ରେଡ୍‌ ଜୋନ୍‌ରେ ଗଡ଼ିବନି ବସ୍‌: ଚିନ୍ତାରେ ମାଲିକ, ଆର୍ଥିକ ସହାୟତା ଦାବି

ଭଦ୍ରକ ଅଫିସ,୧୩।୫: ପ୍ରାୟ ଦୁଇ ମାସ୍‌ ହେବ ବସ ଚଳାଚଳ ବନ୍ଦ ରହିଛି। ଏ ନେଇ ବସ୍‌ ମାଲିକମାନେ ଚିନ୍ତାରେ ପଡିଯାଇଛନ୍ତି । ପ୍ରାୟ ଜିଲାରେ ୧ ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର, କଣ୍ଡକ୍ଟର, ହେଲ୍ପର୍‌ଙ୍କ ପରିବାର ଦୁର୍ଦ୍ଦସାରେ ଗତିକରୁଛନ୍ତି। ଭଦ୍ରକ ଜିଲା ନୂଆ ବସ୍‌ଷ୍ଟାଣ୍ଡକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ଶତାଧିକ ବସ୍‌ ଦୁଇ ମାସ ଧରି ଷ୍ଟାଣ୍ଡରେ ଓ ମାଲିକଙ୍କ ଦୁଆରେ ପଡିରହିଛି। କର୍ମଚାରୀମାନେ ନିଜ ନିଜ ଘରେ ବସି ରହିଛନ୍ତି। ରେଡ୍‌ ଜୋନ୍‌ଗୁଡ଼ିକରେ ବସ୍‌ ଚଳାଚଳ ପାଇଁ ଅନୁମତି ନ ଥିବା କାରଣରୁ ଆର୍ଥିକ ସଙ୍କଟ ଦେଖା ଦେଲାଣି ବୋଲି ଭଦ୍ରକ ଜିଲା ବସ୍‌ ସଂଘର ସମ୍ପାଦକ ହେମନ୍ତ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏପରିକି ସରକାରଙ୍କ ତରଫରୁ ଏମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ସମସ୍ତ ବସ୍‌ର ଟ୍ୟାକ୍ସ, ଇନ୍‌ସୁରାନ୍ସ ଏବଂ ମାସିକ ଇନ୍‌ଷ୍ଟଲମେଣ୍ଟର ସୁଧ ଛାଡ଼ ପାଇଁ ଦାବି ହେଉଛି।