ରେଢାଖୋଲରେ ଗୋଟିଏ ପରିବାରର ୧୦ ଜଣଙ୍କୁ ସଙ୍ଗରୋଧରେ ରଖିଲା ପ୍ରଶାସନ

ରେଢାଖୋଲ, ୪।୪(ଡି.ଏନ.ଏ.)ସମ୍ବଲପୁର ଜିଲା ପ୍ରଶାସନ ରେଢାଖୋଲ ସହର ଖନ୍ଦାଢିପ ସାହି (ୱାର୍ଡ ନଂ ୭)ର ଗୋଟିଏ ପରିବାରର ୧୦ ଜଣ ସଦସ୍ୟଙ୍କୁ ସଂଗରୋଧରେ ରଖିଛି। ଏହି ପରିବାରର ଜଣେ ସଦସ୍ୟ ଖୋର୍ଦ୍ଧାରୁ ଆସିଥିଲେ। ପ୍ରଶାସନ ଏ ସଂପର୍କରେ ଜାଣିବା ପରେ ପରିବାରର ସମସ୍ତ ୧୦ ଜଣ ଯାକ ସଦସ୍ୟଙ୍କୁ ତାଙ୍କ ନିଜ ଘରେ ସଙ୍ଗରୋଧ ଭାବେ ରହିବାକୁ ନିର୍ଦ୍ଦେଶ ଦେଇଛି। ଏକ ଡାକ୍ତରୀ ଟିମ୍ ଆସି ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରିଛନ୍ତି। ପରିବାରର ସମସ୍ତ ୧୦ ଜଣ ସଦସ୍ୟଙ୍କୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଉପଜିଲ୍ଲାପାଳ ଡୋଳାମଣି ପଟେଲ, ତହସିଲଦାର ରୁବି ବେହେରା, ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ କନିକା ଚକ୍ରବର୍ତ୍ତୀ ପ୍ରମୁଖ ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ସିଲ୍ କରିଛନ୍ତ । ସେହିପରି ରେଢାଖୋଲ ସହର ସମେତ ଗ୍ରାମାଞ୍ଚଳରେ ଲକଡାଉନ ନିୟମ କୁ କଡାକଡି କରାଯାଇଛି। ଶନିବାରଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସହରରେ ବସୁଥିବା ଶନିବାର ଓ ବୁଧବାର ସାପ୍ତାହିକ ହାଟକୁ ବନ୍ଦ କରାଯାଇଛି। ସହରର କେତେକ ଔଷଧ ଦୋକାନୀ ଜରୁରୀ ଔଷଧ ହୋମ ଡେଲିଭରି କରିବାକୁ କୁହାଯାଇଛି।

Share