Advertisement
Categories: ଗଞ୍ଜାମ

ରେଣ୍ଟିର ୧୮୨ନଂ. ବୁଥ୍‌ରେ ସାନି ମତଦାନ ଆଜି : ଭିଡିଓଗ୍ରାଫି, ୱେବ୍‌କାଷ୍ଟିଂ ବ୍ୟବସ୍ଥା ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର/ସୋରଡ଼ା, ୨୫ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ସୋରଡା ବ୍ଲକ ୧୮୨ନଂ. ରେଣ୍ଟି ବୁଥ୍‌ରେ ଗୁରୁବାର ସାନି ମତଦାନ ହେବ ା ଏଥିପାଇଁ  ଜିଲା ପ୍ରଶାସନ ଓ ଗଞ୍ଜାମ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ା ଶାନ୍ତିଶୃଙ୍ଖଳାରେ ମତଦାନ ହେବ। ବୁଧବାର ନିଜେ ଯାଇ ଅନୁଧ୍ୟାନ କରି ଆସିଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଉକ୍ତ ବୁଥରେ ମାଇକ୍ରୋ ଅବଜର୍ଭର ସହ ୱେବକାଷ୍ଟିଂ ଓ ଭିଡିଓ ଗ୍ରାଫି ବ୍ୟବସ୍ଥା କରାଯାଇଥିବା ଜିଲାପାଳ କହିଛନ୍ତି। ବୁଥଟି ସମ୍ବେଦନଶୀଳ  ନ ଥିବାରୁ ଗତ ୧୮ରେ ରେଣ୍ଟି ବୁଥ୍‌ରେ ମତଦାନ ବେଳେ ଭିଡିଓଗ୍ରାଫି କିମ୍ବା ସିସି କ୍ୟାମେରା ବ୍ୟବସ୍ଥା କରାଯାଇ ନ ଥିଲ।   ଏହାର ଫାଇଦା ନେଇ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌ ଭଙ୍ଗାଯାଇଥିଲା। ମତଦାନ ଅଧାରୁ ବନ୍ଦ ରହିଥିଲା ା ଏହି ଘଟଣା ପରେ ସାନି ମତଦାନ ପାଇଁ ଏହି ବୁଥ୍‌କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରି ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗୁରୁବାର ସେଠାରେ ଆସିକା ଲୋକସଭା ଓ ସୋରଡା ବିଧାନସଭା ଆସନ ପାଇଁ ସାନି ମତଦାନ ହେବ ା ପୋଲିଂ ଦଳ ବୁଥ୍‌ରେ ପହଞ୍ଚି ସାରିଥିବା ଜିଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ୧୮ରେ ରେଣ୍ଟି ବୁଥ୍‌ରେ ଭୋଟ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ନୀଳମଣି ବିଷୋୟୀ ପହଞ୍ଚି ପ୍ରିଜାଇଡିଂ ଅଫିସରଙ୍କ କାର୍ଯ୍ୟରେ ବାଧା ଦେଇଥିଲେ ା ପରେ ସୋରଡା ବିଧାନସଭା ଆସନ ପାଇଁ ଉଦ୍ଦିଷ୍ଟ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌କୁ ସେ ଭାଙ୍ଗି ଦେଇଥିଲେ ା ଫଳରେ ସେଠାରେ ଭୋଟ ଅଧାରୁ ବନ୍ଦ ହୋଇଯାଇଥିଲା ା ଇଭିଏମ୍‌ ଭାଙ୍ଗିବା ଘଟଣାରେ ସୋରଡା ପୋଲିସ ଏକ ମାମଲା ରୁଜୁ କରି ନୀଳମଣିଙ୍କୁ ୧୮ ତାରିଖ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ସୋରଡା ଜେଲକୁ ପଠାଇ ଦିଆଯାଇଥିଲା ା ଏନେଇ ଏକ ରିପୋର୍ଟ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସିଇଓଙ୍କୁ ପ୍ରଦାନ କରାଯାଇଥିଲା ା ଏହାପରେ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି  ଉକ୍ତ ବୁଥ୍‌ରେ ସାନି ମତଦାନ ପାଇଁ ଘୋଷଣା ହୋଇଥିଲା ା  ଅନ୍ୟପକ୍ଷରେ ୧୮ରେ କେତେକ ବୁଥ୍‌ରେ ଭୋଟ ଗ୍ରହଣ ବେଳେ ରିଗିଂ ହୋଇଥିବା ଅଭିଯୋଗ ନେଇ ନୀଳମଣିଙ୍କ ପକ୍ଷରୁ ସୋରଡା ଥାନାରେ ଦିଆଯାଇଥିବା ଏତଲା ଉପରେ କୌଣସି ମାମଲା ରୁଜୁ ହୋଇନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel