ରେନିକୋଟ, ସନ୍‌ଗ୍ଲାସ୍‌ ପିନ୍ଧି କରୋନା ସହ ଯୁଦ୍ଧ କରୁଛନ୍ତି ଡାକ୍ତର

ସିଲିଗୁଡି,୩୧।୩: ସାରା ବିଶ୍ୱରେ ୩୭ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସ୍‌ ଏବେ ଭାରତରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୭ ହୋଇଥିବା ବେଳେ ସେଥିମଧ୍ୟରୁ ୩୯ଜଣଙ୍କର ମୃତ୍ୟୁ ଘଟିସାରିଛି। ଇତିମଧ୍ୟରେ କରୋନା ବିରୋଧରେ ଯୁଦ୍ଧ ଲଢ଼ୁଥିବା ଡାକ୍ତର ଓ ମେଡିକାଲ ଷ୍ଟାଫ୍‌ଙ୍କ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଏହାପରେ ବି କରୋନାରୁ ସୁରିକ୍ଷିତ ରହିବା ପାଇଁ ସେମାନଙ୍କୁ ଜରୁରୀ କିଟ୍‌ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପଶ୍ଚିମବଙ୍ଗରୁ ଆସିଛି। ସିଲିଗୁଡିର ଉତ୍ତର ବଙ୍ଗରେ ମେଡିକାଲ କଲେଜ୍‌ରେ କରୋନା ଭାଇରସ୍‌ର ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ସୁରକ୍ଷା ବର୍ତ୍ତିବା ପାଇଁ ଡାକ୍ତରଙ୍କୁ ପିପିଇ କିଟ୍‌, ଲାବ୍ରୋଟାରି ଗ୍ଲାସ୍‌ ଓ ସର୍ଜିକାଲ ବା ଏନ୍‌-୯୫ ମାସ୍କ ଉପଲବ୍ଧ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି। ଏହା ବଦଳରେ ସେମାନଙ୍କୁ ବେଡଶିଟ୍‌ର ମାସ୍କ, ସନ୍‌ଗ୍ଲାସ୍‌ ଓ ରେନିକୋଟ ଦିଆଯାଉଥିବା ଜଣାପଡ଼ିଛି। ଆଉ ଏହାକୁ ଧୋଇ ପୁନଃ ବ୍ୟବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡାକ୍ତରମାନେ କହିଛନ୍ତି। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ବା ସୁରକ୍ଷା କିଟ୍‌ ଯୋଗାଇଦେବାକୁ ଚାପ ପକାଇଲେ ସେ ସେମାନଙ୍କୁ ଡ୍ୟୁଟିରେ ନ ଆସିବାକୁ କହୁଛନ୍ତି ବୋଲି ଡାକ୍ତର ଶହରିଆର ଆଲମ୍‌ କହିଛନ୍ତି। ସୂଚନା ମୁତାବକ ପଶ୍ଚିମବଙ୍ଗରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିସାରିଛି। ଏଭଳି ସ୍ଥିତିରେ କରୋନାକୁ ନେଇ ରାଜ୍ୟରେ ଦେଖାଦେଇଥିବା ଅବହେଳା ସାଧାରଣ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Share