କଟକ ରୋଡ,୨୩।୫(ଡି.ଏନ୍.ଏ.): କୋଭିଡ-୧୯ ପାଇଁ ରାଜ୍ୟରେ ମଦ ବିକ୍ରି ବନ୍ଦ ରହିଛି। ଏଭଳି ସ୍ଥିତିରେ ଗତ ପ୍ରାୟ ଦୁଇମାସ ଧରି ମଦ ଦୋକାନ ଓ ବାର୍ରେ ମଦ ବିକ୍ରି ବନ୍ଦ ରହିଛି। ହେଲେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସିବା ପରେ ଶନିବାର କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ ଟିମ୍, ଅବକାରୀ ବିଭାଗ ଓ ଲକ୍ଷ୍ମୀସାଗର ପୋଲିସ ମିଳିତ ଭାବେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ‘ରେନ୍ ଦ କ୍ଲବ’ ବାର୍ରେ ଚଢ଼ାଉ କରିଥିଲା। ପୂର୍ବାହ୍ନ ପ୍ରାୟ ୧୧.୩୦ରେ ପୋଲିସ ସେଠାରେ ଅତର୍କିତ ଭାବେ ଚଢ଼ାଉ କରିବା ସମୟରେ ବାର୍ର କିଛି କର୍ମଚାରୀ ଫେରାର ହୋଇଯାଇଥିଲେ। ତେବେ ଚଢ଼ାଉ ସମୟରେ ସେଠାରୁ ବିପୁଳ ପରିମାଣର ମଦ ଜବତ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ତେବେ ଏତେ ପରିମାଣରେ ମଦ ବାର୍ରେ କିଭଳି ଗଚ୍ଛିତ ଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି।