ରେଭେନ୍‌ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି

କଟକ ଅଫିସ,୧୯।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଦାଖଲ କରାଯାଇଥିଲା। ଉଭୟ ପକ୍ଷକୁ ନେଇ ତଦନ୍ତ କରାଯିବା ପରେ ଏହା ର଼୍ୟାଗିଂ ନୁହେଁ ବରଂ ଝଗଡ଼ା ବୋଲି ସେଲ୍‌ ପକ୍ଷରୁ ୟୁଜିସିକୁ ସ୍ପଷ୍ଟ କରାଯାଇଥିଲା। ଦଣ୍ଡ ସ୍ବରୂପ ଉଭୟ ପକ୍ଷର ଛାତ୍ରୀଙ୍କୁ ନୋଟିସ ଜାରି କରାଯାଇଥିଲା। ର଼୍ୟାଗିଂର ଅଭିଯୋଗ ଉଠାଇଥିବା ଉଦ୍ଭିଦ ବିଜ୍ଞାନର ସ୍ନାତକ ତୃତୀୟ ବର୍ଷର ଛାତ୍ରୀଙ୍କୁ ୧୦୦୦ ଟଙ୍କାର ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଥିବାବେଳେ ଅଭିଯୁକ୍ତ ତଥା ଏମ୍‌ଫିଲ ଛାତ୍ରୀଙ୍କୁ କାଠଯୋଡ଼ି ହଷ୍ଟେଲରୁ କଢ଼ାଯାଇ ଅନ୍ୟ ହଷ୍ଟେଲରେ ଅବସ୍ଥାପିତ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟରେ ପରିଣତ କରିବା ପାଇଁ ନୋଟିସରେ ଉଲ୍ଲେଖ ମଧ୍ୟ କରାଯାଇଥିଲା। ହେଲେ ଦଣ୍ଡାଦେଶକୁ ଇତିମଧ୍ୟରେ ୧୪ଦିନ ପୂରଣ ହେଲାଣି। ଉଭୟ ଛାତ୍ରୀ ଏହି ଦଣ୍ଡାଦେଶକୁ ମାନି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ର଼୍ୟାଗିଂ ଅଭିଯୋଗ ଉଠାଇଥିବା ଛାତ୍ରୀଙ୍କୁ ୟୁଜିସିର ଆଣ୍ଟି ର଼୍ୟାଗିଂ ସେଲ୍‌ ପକ୍ଷରୁ ଫୋନ୍‌ କଲ୍‌ ଆସିଥିଲା। ତଦନ୍ତ ଠିକ୍‌ ଭାବେ ହୋଇନାହିଁ ବୋଲି ଛାତ୍ରୀ ଜଣକ ୟୁଜିସିରେ ଫେରାଦ ହେଇଛନ୍ତି। ଏ ସମ୍ପର୍କରେ କୁଳସଚିବ ଅଶୋକ କୁମାର ଦାଶଙ୍କୁ ପଚାରିବାରୁ ସେ କହିଥିଲେ, କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ପରିଣତ ହୋଇଛି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମୋ ନିକଟରେ ନାହିଁ। ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ।

ସୂଚନାଥାଉ କି, କାଠଯୋଡ଼ି ହଷ୍ଟେଲରେ ରହୁଥିବା ବାଣିଜ୍ୟ ବିଭାଗର ଜଣେ ଏମ୍‌ଫିଲ ଛାତ୍ରୀ ଗତ ମାର୍ଚ୍ଚ ୩୦ରେ ଉଦ୍ଭିଦ ବିଜ୍ଞାନର ସ୍ନାତକ ତୃତୀୟ ବର୍ଷର ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଜୁନିୟରମାନଙ୍କୁ ଗାଳି କରୁଥିବା ଏମ୍‌ଫିଲ ଛାତ୍ରୀଙ୍କୁ ରୋକିବା ବେଳେ ସେ ର଼୍ୟାଗିଂର ଶିକାର ହୋଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ। ଏ ନେଇ ର଼୍ୟାଗିଂର ଶିକାର ଛାତ୍ରୀ ୟୁଜିସି ନିକଟରେ ଅଭିଯୋଗ କରିଥିଲେ। ନ୍ୟାୟ ମିଳିବା ଦାବିରେ କୁଳସଚିବଙ୍କ କାର୍ଯ୍ୟାଳୟ ମଧ୍ୟ ଦୁଇଦିନ ଧରି ଘେରାଉ କରାଯାଇଥିଲା। ପରେ କୁଳସଚିବଙ୍କ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏହି ବୈଠକରେ ହୋଇଥିବା ନିଷ୍ପତ୍ତିରେ ଛାତ୍ରୀମାନେ ରାଜି ନ ହେବା ଫଳରେ ଘଟଣା ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍‌କୁ ଯିବା ସହ ତଦନ୍ତ କରାଯାଇ ଦଣ୍ଡାଦେଶ ମିଳିଥିଲା।

Share