‘ରେଭେନ୍‌ଶାରେ ବାତିଲ ହେବନି ପରୀକ୍ଷା’ ଖବର ସମ୍ପର୍କିତ ସ୍ପଷ୍ଟୀକରଣ

ଭୁବନେଶ୍ୱର, ୬।୬-‘ରେଭେନ୍‌ଶାରେ ବାତିଲ୍‌ ହେବନି ପରୀକ୍ଷା’ ସମ୍ପର୍କିତ ଏକ ଖବର ଧରିତ୍ରୀରେ ୬ ଜୁନ୍‌ ଶନିବାର ଇ-ପେପରର ପୃଷ୍ଠା ୧୨ରେ ପ୍ରକାଶ ପାଇଥିଲା। ଏଥିରେ ପରୀକ୍ଷା ବାତିଲ ସମ୍ପର୍କରେ ଯେଉଁ ତଥ୍ୟ ପ୍ରଦାନ କରାଯାଇଛି, ସେଥିରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତ୍ରିଲୋଚନ ମିଶ୍ରଙ୍କ ମତାମତ ରହିଛି। ହେଲେ ଏହି ଖବର ପ୍ରକାଶକୁ ନେଇ ରେଭେନ୍‌ଶା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଖଣ୍ଡନ କରିବା ସହ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ସ୍ନାତକର ୬ଷ୍ଠ ସେମିଷ୍ଟର ଏବଂ ସ୍ନାତକୋତ୍ତରର ୪ର୍ଥ ସେମିଷ୍ଟର ପରୀକ୍ଷା ଆସନ୍ତା ଜୁଲାଇ ୬ରୁ ୨୪ତାରିଖ ମଧ୍ୟରେ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ପରୀକ୍ଷାସୂଚୀ ଖୁବଶୀଘ୍ର ଘୋଷଣା ହେବ ବୋଲି କୁଳପତି ପାତ୍ର ଏକ ପତ୍ର ମାଧ୍ୟମରେ ଛାତ୍ରୀଛାତ୍ର, ମାତାପିତା ଓ ଅଭିଭାବକଙ୍କୁ ଜଣାଇଛନ୍ତି । କରୋନାଜନିତ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦେଖି ଉପରୋକ୍ତ ତାରିଖରେ ପରିବର୍ତ୍ତନ ସମ୍ଭାବନା ମଧ୍ୟ ରହିଛି। ସ୍ନାତକ ୨ୟ ଓ ୪ର୍ଥ ସେମିଷ୍ଟର ଏବଂ ସ୍ନାତକୋତ୍ତର ୨ୟ ସେମିଷ୍ଟର ପରୀକ୍ଷା ବାତିଲ୍‌ ହେବ ନାହିଁ ବୋଲି ଯେଉଁ ଖବର ପ୍ରକାଶ ପାଇଛି, ତାହା ମିଥ୍ୟା ବୋଲି କୁଳପତି ଉକ୍ତ ପତ୍ରରେ ଦର୍ଶାଇଛନ୍ତି।
ଖବରଦାତାଙ୍କ କହିବାନୁଯାୟୀ, ପରୀକ୍ଷା ନିୟନ୍ତ୍ରକ ମିଶ୍ରଙ୍କ ମତ ନେବାବେଳେ ସେ ବୁଝିବାରେ ତ୍ରୁଟି କରିଥାଇପାରନ୍ତି। ଏହି ତ୍ରୁଟିପୂର୍ଣ୍ଣ ଖବର ପାଇଁ ଦୁଃଖ ପ୍ରକାଶ କରିବା ସହ ଛାତ୍ରୀଛାତ୍ର, ଅଭିଭାବକ ଏବଂ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ।

ସମ୍ପାଦକ