ରେଭେନ୍‌ଶା ୨ୟ କ୍ୟାମ୍ପସକୁ ନେଇ ବିବାଦ

କଟକ ଅଫିସ,୩୦।୪: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ବିରୋଧରେ ଉଠିଛି ସାଂଘାତିକ ଅଭିଯୋଗ। ନରାଜଠାରେ ନିର୍ମାଣ ଆରମ୍ଭ ହୋଇଥିବା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ବେଆଇନ ଭାବେ ପାଚେରି ନିର୍ମାଣ କରାଯାଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ନିୟମ ଓ ହାଇକୋର୍ଟଙ୍କ ଆଦେଶକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇ ଖରସୁଆ ନାଳ ଉପରେ ପାଚେରି ହୋଇଥିବାରୁ ପ୍ରାକୃତିକ ସମ୍ପତ୍ତି ଜବରଦଖଲ କରାଯାଇଛି ବୋଲି ସେକ୍ଟର-୧୩ ଆବାସିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। କାଠଯୋଡ଼ି ନଦୀରୁ ବନ୍ୟା ଜଳ ମହାନଦୀକୁ ନିଷ୍କାସନ କରିବାରେ ବ୍ୟବହୃତ ହେଉଥିବା ଖରସୁଆ ଏବେ ପୋତି ହୋଇପଡ଼ିଛି। ଫଳରେ ଅବରୋଧ କରିଥିବା ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପାଚେରି ଭଙ୍ଗା ନ ଗଲେ ଆଗାମୀ ଦିନରେ ଏହାର ପ୍ରଭାବ ସିଡିିଏର ବିଭିନ୍ନ ସେକ୍ଟର ସମେତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲୟୁ), ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଉପରେ ପଡ଼ିବ। କାଠଯୋଡ଼ି ଜଳପତ୍ତନ ବୃଦ୍ଧି ପାଇଲେ ସିଡିିଏର ବିଭିନ୍ନ ସ୍ଥାନ ଜଳମଗ୍ନ ହେବ। ଏ ନେଇ ଅଭିଯୋଗ ପରେ ବୁଧବାର ସିଡିଏ ଏବଂ ଡ୍ରେନେଜ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଖରସୁଆ ହେଉଛି ବହୁ ପୁରାତନ ନାଳ। ଏହି ନାଳର ଲମ୍ବ ପ୍ରାୟ ୨.୫ କିମି। ବର୍ଷର ଅନେକ ଦିନ ଶୁଷ୍କ ରହୁଥିବା ଏହି ନାଳ ମୁଖ୍ୟତଃ କାଠଯୋଡ଼ି ନଦୀରୁ ବନ୍ୟା ଜଳ ନିଷ୍କାସନ କରିବାରେ ବ୍ୟବହୃତ ହୁଏ। ପୂର୍ବରୁ ଅନେକ ଥର କାଠଯୋଡ଼ି ନଦୀରୁ ବନ୍ୟାଜଳ ନିଷ୍କାସନ କରିବାରେ ଖରସୁଆ ନାଳର ଭୂମିକା ରହିଛି। ତେବେ ଏହି ନାଳଟି ସିଡ଼ିଏର ସେକ୍ଟର-୧୪ ଓ ସେକ୍ଟର-୧୫ ଅଞ୍ଚଳ ଦେଇଯାଇଛି। ସେକ୍ଟର-୧୪ର ଅର୍ଦ୍ଧାଧିକ ଭାଗରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ଓ ସେକ୍ଟର-୧୫ର ଅଧିକାଂଶ ଭାଗରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରହିଛି। ଏହାଛଡ଼ା ଗଢ଼ି ଉଠୁଥିବା ସେକ୍ଟର-୧୩ ଅଞ୍ଚଳର ସୀମାରେଖାରେ ରହିଛି ଖରସୁଆ। ଏଣୁ ଖରସୁଆର ପଥ ଅବରୋଧ ହେଲେ ଏହାର ପ୍ରଭାବ ଭୟଙ୍କର ଭାବେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସରେ ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୮କୋଟି ଟଙ୍କା ବ୍ୟୟରେ ପାଚେରି ଓ କିଛି ରାସ୍ତା ନିର୍ମାଣ ସରିଛି। ପ୍ରାଥମିକ କାର୍ଯ୍ୟ ନିମନ୍ତେ ୧୦କୋଟି ଟଙ୍କାର ବଜେଟ ଧାର୍ଯ୍ୟ ହୋଇଥିବା ବେଳେ ବଳକା ଟଙ୍କାରେ ଦ୍ୱିତୀୟ କ୍ୟାମ୍ପସ ପରିସର ବିକାଶରେ ଖର୍ଚ୍ଚ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ମାଣ ନିମନ୍ତେ ୨୪ କୋଟି ଟଙ୍କା ଅନୁଦାନ ମିଳିଛି। ଆଗାମୀ ଦିନରେ ଏଠାରେ ପାଚେରି ଭଙ୍ଗା ନ ହେଲେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ଆବାସିକ ସଂଘ ସମ୍ପାଦକ ସୋମ ପଟ୍ଟନାୟକ କହିଛନ୍ତି।

Share