ରେଲଓ୍ବେ ପକ୍ଷରୁ ସ୍ବତନ୍ତ୍ର ତୀର୍ଥଯାତ୍ରା ପ୍ୟାକେଜ: ସବୁ ଶନିବାର ଭୁବନେଶ୍ୱରରୁ ତିରୁମାଲା

ଭୁବନେଶ୍ୱର, ୩।୯(ବ୍ୟୁରୋ): ଓ୍ବିକେଣ୍ଡକୁ ଧାର୍ମିକ ପରିବେଶରେ କାଟିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଆଇଆରସିଟିସି ଆଣିଛି ତିରୁମାଲା ସ୍ବତନ୍ତ୍ର ଦର୍ଶନ ପ୍ୟାକେଜ। ୩ ଦିନ ୪ ରାତି ବିଶିଷ୍ଟ ଏହି ଟୁର ପ୍ୟାକେଜରେ ତିରୁମାଲା ପର୍ବତ ସହ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ବୁଲିବାର ସୁବିଧା ରହିଛି। ସବୁ ସପ୍ତାହର ଶନିବାର ମଧ୍ୟାହ୍ନ ୧୨ଟାରୁ ଭୁବନେଶ୍ୱର ରେଳ ଷ୍ଟେଶନରୁ ଯାତ୍ରା ଆରମ୍ଭ କରୁଛି ଏହି ସ୍ବତନ୍ତ୍ର ଟୁର ପ୍ୟାକେଜ ବଶିଷ୍ଟ ଟ୍ରେନ୍‌। ଯାତ୍ରାକୁ ଅଧିକ ସୁନ୍ଦର କରିବା ସକାଶେ ଡ୍ରେସକୋଡ କରାଯାଇଛି। ପୁରୁଷମାନଙ୍କ ଲାଗି ଧଳା ଧୋତି, କୁର୍ତ୍ତା ଓ ମହିଳାମାନେ ଶାଢ଼ି, ସାଲଓ୍ବାର କମିଜ, ଦୁପଟ୍ଟା ବାଧ୍ୟତାମୂଳକ ରଖାଯାଇଛି। ଜିନ୍ସ, ଟି-ଶାର୍ଟ ପିନ୍ଧିବାକୁ ଆଇଆରସିଟିସି ପକ୍ଷରୁ ବାରଣ କରାଯାଇଛି। ରବିବାର ତିରୁପତି ଷ୍ଟେଶନରେ ପହଞ୍ଚତ୍ବା ପରେ ଯାତ୍ରୀମାନେ କାନିପକମ୍‌ ଓ ଶ୍ରୀପୁରମ୍‌ ବୁଲିବେ। ତୃତୀୟ ଦିନରେ ତିରୁମାଲା ପର୍ବତ, ଭେଙ୍କଟେଶ୍ୱରଙ୍କ ଦର୍ଶନ, ତିରୁଚନୌର ମନ୍ଦିର, ଶ୍ରୀ କଳାହସ୍ତୀ ପ୍ରଭୃତି ମନ୍ଦିର ଆଇଆରସିଟିସି ଯାତ୍ରୀମାନଙ୍କୁ ବୁଲାଇବ। ସେହିଦିନ ସନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଟ୍ରେନଟି ପ୍ରତ୍ୟାବର୍ତ୍ତନ କରିବ। ଯାତ୍ରାରେ ତୃତୀୟ ଶ୍ରେଣୀ ଏସି ଓ ଶୟନଯାନ କୋଚ ରହିଛି। ପୂରା ପ୍ୟାକେଜର ଭଡ଼ା ୪୮୨୭ ଟଙ୍କାରୁ ନେଇ ୧୭୩୦୪ ଟଙ୍କା ଯାଏ ରହିଛି। ଯାତ୍ରା ସମ୍ବନ୍ଧରେ ଅଧିକ ସୂଚନା ପାଇବା ସକାଶେ ଆଇଆରସିଟିସି ଓ୍ବେବସାଇଟ(www.irctctourism.com)ଦେଖିପାରିବେ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ଦୁଇମାସ ହେବ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଟୁର ପ୍ୟାକେଜ ସଫଳ ହେବାରୁ ଆଗକୁ ଏହା ବଢ଼ାଇବାକୁ ଯୋଜନା କରାଯାଉଛି ବୋଲି ଆଇଆରସିଟିସି କହିଛି।