ରେଲଓ୍ବେ ପାଇଁ ଓଡ଼ିଶାକୁ ୫୯୯୩ କୋଟି

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଚଳିତବର୍ଷ କେନ୍ଦ୍ର ବଜେଟରେ ଓଡିଶାରେ ରେଲଓ୍ବେ ଭିତ୍ତିଭୂମି ବିକାଶ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ମୋଟ ୫୯୯୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ୫୯୪୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ଏଥିରେ ସାମାନ୍ୟ ବୃଦ୍ଧି ଘଟିଥିବା ଜଣାପଡିଛି। ଓଡ଼ିଶା ଲାଗି ଗତବର୍ଷ ବଜେଟରେ ୫୨୫୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ତୁଳନାରେ ଚଳିତ ବର୍ଷର ବ୍ୟୟ ବରାଦ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ବିଭିନ୍ନ ପ୍ରକଳ୍ପର ଉନ୍ନତୀକରଣ, ଯାତ୍ରୀ ସୁବିଧାରେ ବୃଦ୍ଧି, ରେଳ ଟ୍ରାକ ମରାମତି, ଉନ୍ନତୀକରଣ, ରୋଡ୍‌ ଓଭରବ୍ରିଜ, ରୋଡ୍‌ ଅଣ୍ଡରବ୍ରିଜ, ବିଦ୍ୟୁତୀକରଣ ଭଳି ବିଭିନ୍ନ କ୍ଷେତ୍ରରେ ଏହି ପୁଞ୍ଜି ବିନିଯୋଗ କରାଯିବ। ଯାତ୍ରୀ ସୁବିଧାର ଉନ୍ନତୀକରଣ ଲାଗି ସର୍ବାଧିକ ୧୮୦ କୋଟି ଟଙ୍କା ଚଳିତ ବର୍ଷ ପ୍ରଦାନ କରାଯାଇଛି।
ଓଡ଼ିଶାରେ ୫ ନୂଆ ସର୍ଭେ ଲାଗି ରେଲଓ୍ବେ ଘୋଷଣା କରିଛି। ଭୁବନେଶ୍ୱର କୋଚିଂ ଡିପୋରେ ୨ ଅଟୋମେଟିକ ଓ୍ବାଶିଂ ପ୍ଲାଣ୍ଟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି କୋଚ୍‌ ମେଣ୍ଟେନାନ୍ସ ଫାସିଲିଟି ଉନ୍ନତୀକରଣ ଲାଗି ଜୋନାଲ ରେଲଓ୍ବେଗୁଡିକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ ପ୍ରସ୍ତାବ ରହିଛି। ପୂର୍ବତଟ ରେଳପଥ ପରିସରରେ ଥିବା ଲେଭଲ କ୍ରସିଂଗୁଡ଼ିକୁ ହଟାଇ ରୋଡ୍‌ ଓଭରବ୍ରିଜ ଏବଂ ରୋଡ୍‌ ଅଣ୍ଡରବ୍ରିଜ ନିର୍ମାଣ କରିବାକୁ ଗୁରୁତ୍ୱ ଦିଆଯାଇଛି। ୮୨ କିମି ବିଶିଷ୍ଟ ହରିଦାସପୁର-ପାରାଦୀପ ଲାଇନ ଲାଗି ଚଳିତ ବଜେଟରେ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହାବାଦ୍‌ ନୂଆ ଲାଇନ ବିଛାଇବା, ଲାଇନ ଦୋହରୀକରଣ, ଓ୍ବାର୍କଶପ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଲାଗି ଅର୍ଥବ୍ୟୟ ବରାଦ କରାଯାଇ ଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।

Share